ଗୁଜୁରାଟର ଅହମ୍ମଦାବାଦରେ ୨୦୦୮ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଦୋଷୀମାନଙ୍କ ଦଣ୍ଡ ଘୋଷଣା କରାଯାଇଛି। ସ୍ୱତନ୍ତ୍ର କୋର୍ଟ ୪୯ ଅଭିଯୁକ୍ତଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ଜ୍ଝ ତେବେ ଅନ୍ୟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସ୍ୱତନ୍ତ୍ର କୋର୍ଟର ବିଚାରପତି ଆର୍ ପଟେଲ ଏହି ରାୟ ଶୁଣାଇଛନ୍ତି ।
ଅପରାଧୀଙ୍କୁ ଦଣ୍ଡାଦେଶ ବ୍ୟତୀତ ପୀଡ଼ିତାଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ କହିଛନ୍ତି। ଏହା ସହିତ ଗୁରୁତର ଆହତଙ୍କୁ ୫୦ ହଜାର ଏବଂ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଦେବାକୁ କୁହାଯାଇଛି। ଅହମ୍ମଦାବା ସିରିଏଲ ବିସ୍ଫୋରଣରେ ୭୮ ଜଣ ଅଭିଯୁକ୍ତ ଥିଲେ। ପରେ ଜଣେ ଅଭିଯୁକ୍ତ ସରକାରୀ ସାକ୍ଷୀ ହୋଇଥିଲେ। ଏହି କାରଣରୁ ମୋଟ ୭୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଫେବୃଆରୀ ୮ ରେ ସ୍ୱତନ୍ତ୍ର କୋର୍ଟ ୪୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ୨୮ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଏହି ମାମଲାର ଶୁଣାଣି ୧୩ ବର୍ଷ ଧରି ସ୍ୱତନ୍ତ୍ର କୋର୍ଟରେ ଚାଲିଥିଲା ।