ନଭେମ୍ବର ୧୪ରେ ଶିଶୁ ଦିବସ । ଏହି ଅବସରରେ ଶିଶୁଙ୍କୁ ରାଜସ୍ଥାନ ସରକାରଙ୍କ ଭେଟି । ଏହିଦିନ ବିଧାନସଭାର ସଦସ୍ୟ ହେବାର ସୁଯୋଗ ପାଇବେ ରାଜ୍ୟର ୨୦୦ ଶିଶୁ । ବିଧାନସଭାର ସଦସ୍ୟ ହେବା ସହ ସ୍ବତନ୍ତ୍ର ଅଧିବେଶନରେ ଭାଗ ନେଇ ଗୃହକୁ ମଧ୍ୟ ପରିଚାଳନା କରିବେ । ରାଜ୍ୟ ବିଧାନସଭା କେମିତି ଚାଲୁଛି ,ସେ ସମ୍ପର୍କରେ ପିଲାମାନଙ୍କୁ ଅବଗତ କରାଇବା ପାଇଁ ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ ସରକାର ଏକ ବିଧାନସଭା ଅଧିବେଶନ କରିବେ। ଏନେଇ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ୨୦୦ ପିଲାଙ୍କୁ ଚୟନ କରାଯାଇଛି । ନଭେମ୍ବର ୧୪ରେ ରାଜସ୍ଥାନ ବିଧାନସଭା ମଧ୍ୟରେ ସେମାନଙ୍କୁ ଅନୁମତି ଦିଆଯିବ ଏବଂ ସେମାନେ ଗୃହ ଚଳାଇବାକୁ ସୁଯୋଗ ପାଇବେ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିୟୋଜିତ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ପିଲାମାନେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳର ନେତା, ବିଧାୟକ ତଥା ବିଧାନସଭା ବାଚସ୍ପତିଙ୍କ ସମେତ ବିଭିନ୍ନ ଭୂମିକାରେ ନଜର ଆସିବେ । ଏଥିପାଇଁ ଚୟନ ପ୍ରକିୟା ମଧ୍ୟ କରାଯିବ । ଗୃହ ପରିଚାଳନା ସମୟରେ ଶୂନ୍ୟକାଳ ଓ ପ୍ରଶ୍ନକାଳ ମଧ୍ୟ ରହିବ । ଯେଉଁଥିରେ ପିଲାମାନେ ଗମ୍ଭୀର ପ୍ରସଙ୍ଗ ଉଠାଇବେ ଏବଂ ଏହାର ଉତ୍ତର ଦେବେ ମନ୍ତ୍ରୀ ଭୂମିକାରେ ଥିବା ପିଲା ମାନେ ।
ତେବେ ଗୃହ ପରିଚାଳନା ସମୟରେ ବିଧାନସଭାରେ ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜସ୍ଥାନ ବାଚସ୍ପତି ସିପି ଯୋଶୀ, ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳର ନେତା ଗୁଲାବ ଚାନ୍ଦ କାଟାରିଆ ଉପସ୍ଥିତ ରହିବେ । ରାଜସ୍ଥାନ ବିଧାନସଭାର ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲରେ ଏହାର ସିଧାପ୍ରସାରଣ କରାଯିବ ।