ଆସନ୍ତା ଫେବୃୟାରୀ ମାସରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଯୁକ୍ତ ଦୁଇ ପୂର୍ବରୁ ସମସ୍ତ କଲେଜରେ ପ୍ରାକ୍ଟିକାଲ୍ ପରୀକ୍ଷା ଶେଷ କରାଯିବା। ଜାନୁୟାରୀ ୨ ତାରିଖରୁ ଫେବୃୟାରୀ ୧୨ ମଧ୍ୟରେ କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ସମସ୍ତ ପ୍ରାକ୍ଟିକାଲ୍ ପରୀକ୍ଷା ଶେଷ କରାଯିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ଥିଓରୀ ପରୀକ୍ଷାର ତାରିଖ ପରେ ଘୋଷଣା ହେବ । ଫେବୃଆରୀ ୧୬ରୁ ଥିଓରୀ ପରୀକ୍ଷା ଆରମ୍ଭ ହୋଇପାରେ ବୋଲି ସିଏଚଏସଇ ପକ୍ଷରୁ ସୂଚନା ମିଳିଛି । ରାଜ୍ୟର ପ୍ରତି ପରୀକ୍ଷା କେନ୍ଦ୍ରରେ ହେବ ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ମନିଟରିଂ । ଏହା ପ୍ରଥମଥର ଲାଗୁ ହେଲା ଯୁକ୍ତଦୁଇ ବୋର୍ଡ଼ ପରୀକ୍ଷାରେ ଲାଇଭ ଷ୍ଟ୍ରିମିଂ । ଭୁବନେଶ୍ବରରେ ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଏହି ଲାଇଭ ଷ୍ଟ୍ରିମିଂର ଲିଙ୍କ ଦିଆଯିବ । ପ୍ରତିବର୍ଷ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଉଥିଲା । ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସିସିଟିଭି ସ୍ଥାପନା ନେଇ ସ୍ଥିତି କ’ଣ ରହିଛି ତାହା ଡିସେମ୍ବର ୧୫ ସୁଦ୍ଧା ପରିଷଦକୁ ଜଣାଇବା ଲାଗି ସମସ୍ତ ଜୁନିୟର କଲେଜ ଅଧ୍ଯକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
କୁହାଯାଉଛି ଯେ ପରୀକ୍ଷା ସରିବା ପରେ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ ହେବ। ଅନ୍ୟପଟେ ଆବଶ୍ୟକ ପଡ଼ିଲେ ନିର୍ବାଚନ ପରେ ରେଜଲ୍ଟ ପ୍ରକାଶ କରାଯିବ । ତେବେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ଶୀଘ୍ର ପରୀକ୍ଷା କରାଯାଉଛି । ନିର୍ବାଚନ ଲାଗି ରାଜ୍ୟର ଅନେକ କଲେଜରେ ବ୍ୟବସ୍ଥା କରାଯିବା ସହ ଅନେକ ଅଧ୍ଯାପକ, ଅଧ୍ଯାପିକା ଓ କର୍ମଚାରୀଙ୍କୁ ନିର୍ବାଚନ ଦାୟିତ୍ବରେ ସାମିଲ କରାଯିବ ।