ଦେଶରେ ଦିନକୁ ଦିନ ବଢୁଛି ଧାର୍ମିକ ହିଂସା । ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ପରେ ଆଜି ପଞ୍ଜାବର ପଟିଆଲାରେ ପୁଣି ଦେଖାଦେଇଛି ହିଂସା | ଧାର୍ମିକ ଶୋଭାଯାତ୍ରା ସମୟରେ ଦୁଇ ସମ୍ପ୍ରଦାୟ ହୋଇଛନ୍ତି ମୁହାଁମୁହିଁ | ପୋଲିସ ଏହାକୁ ରୋକିବାକୁ ଚେଷ୍ଟା କଲାବେଳେ ପୋଲିସ ଉପରକୁ ଢେଲା ପଥର ମାଡ କରିଛନ୍ତି ଲୋକେ | ଶୋଭାଯାତ୍ରାକାରୀଙ୍କ ଆକ୍ରମଣ ଯୋଗୁ ଜଣେ ଏସଏଚଓ ଗୁରୁତର ହୋଇଥିବା ବେଳେ ୩ ରୁ ୪ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ପଞ୍ଜାବର ପଟିଆଲାର କାଳୀ ଦେବୀ ମନ୍ଦିର ନିକଟରେ ଶିବସେନା କର୍ମୀ ଖଲିସ୍ତାନ ବିରୋଧରେ ଏକ ଶୋଭାଯାତ୍ରା କରୁଥିଲେ। ସେହି ସମୟରେ ଖଲିସ୍ତାନ ସମର୍ଥକ ଏହାକୁ ବିରୋଧ କରିଥିଲେ | ପରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଆରମ୍ଭ ହୋଇଯାଇଥିଲା | କିଛି ଖଲିସ୍ତାନୀ ସମର୍ଥକ ଲଙ୍ଗର ଭବନ ଉପରେ ଚଢି ପଥର ଫିଙ୍ଗିବା ଆରମ୍ଭ କରିଦେଇଥିଲେ | ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫାଙ୍କା ଗୁଳିଚାଳନା କରିଥିଲା | କୁହାଯାଉଛି ଯେ ଗୋଟିଏ ସଂଗଠନ ପୋଲିସ ଉପରକୁ ଟେକା ପଥର ମାଡ କରିଥିବା ବେଳେ ଅନ୍ୟ ସଂଗଠନର ଲୋକେ ମାରଣାସ୍ତ୍ର ଦ୍ୱାରା ପୋଲିସକୁ ଆକ୍ରମଣ କରିଥିଲେ | ଉଭୟ ସଂଗଠନ ଫୱାରା ଛକ ଆଡକୁ ଶୋଭାଯାତ୍ରାରେ ଯିବାକୁ ବାହାରୁ ଥିଲେ | କିନ୍ତୁ ଉଭୟଙ୍କ ପାଖରେ ଅନୁମତି ନଥିବାରୁ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବରୁ ସେମାନେ ଆକ୍ରମଣ କରିଥିବା କହିଛି ପୋଲିସ | ଏହି ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାମୂଳକ ରହିଛି | ଏଠାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ବୋଲି କହିଛନ୍ତି ଡିଏସପି ।