ଏନଏନଏସ୍: ନୟାଗଡ଼ରେ ମହିଳା ଆଇଆଇସିଙ୍କ ଠାରୁ ଦିନ ଦ୍ବିପହରରେ ସୁନା ଚେନ ଲୁଟି ନେବା ଘଟଣାରେ ପୋଲିସର କାର୍ୟ୍ୟାନୁଷ୍ଠାନ। ପୂର୍ବତନ ଥାନା ଅଧିକାରୀଙ୍କ ସୁନା ଚେନ ଲୁଟର ୨୪ ଘଣ୍ଟା ଭିତରେ ଖୋର୍ଦ୍ଧା ଅଞ୍ଚଳର ୨ ଲୁଟେରାଙ୍କୁ କାବୁ କରିଛି ପୋଲିସ। ସେମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ସମ୍ପଦ ଦାଶ ଓ କାଳୀ ପ୍ରସାଦ ରାଉତ। ସେମାନଙ୍କ ନିକଟରୁ ଥାନା ଅଧିକାରୀଙ୍କ ଚେନ ସମେତ ଅନ୍ୟ ସ୍ଥାନରୁ ଲୁଟ କରିଥିବା ୪ଟି ଚେନ ଜବତ କରିଥିଲା ବେଳେ ଲୁଟରେ ବ୍ୟବହୃତ ପଲସର ବାଇକକୁ ମଧ୍ୟ ଜବତ କରାଯାଇଛି। ଏ ନେଇ ନୟାଗଡ଼ SDPO ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଗତ ରବିବାର ନୟାଗଡ଼ ସଦର ଥାନାର ପୂର୍ବତନ IIC ମନୋରମା ମଲ୍ଲିକ ସ୍କୁଟି ଯୋଗେ DIB ରୁ ନିଜ ଭଡା ଘରକୁ ଫେରୁଥିବା ବେଳେ ୨ ଜଣ ହେଲମେଟ ପିନ୍ଧା ଯୁବକ ଟ୍ରାଫିକ ଛକରୁ ତାଙ୍କୁ ଫଲୋ କରିଥିଲେ । ଘର ନିକଟରେ ସ୍କୁଟିକୁ ଧକ୍କା ଦେବାରୁ ଥାନା ଅଧିକାରୀ ତଳେ ପଡିଯାଇଥିଲେ। ଏହି ସୁଯୋଗରେ ୨ ଦୁର୍ବୃତ୍ତ ମନୋରମାଙ୍କ ବେକରୁ ସୁନା ଚେନ ଲୁଟି ନେଇଯାଇଥିଲେ। ଅଭିଯୋଗ ପାଇ ଟାଉନ ପୋଲିସ ସହରରେ ଲାଗିଥିବା cc tv ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ବାଇକ ନମ୍ବର ଅନୁସାରେ ପୋଲିସ୍ ଖୋର୍ଦ୍ଧା ଟାଉନର ଦୁଇ ଅପରାଧୀଙ୍କ ନିକଟରେ ପହଞ୍ଚି ପାରିଥିଲା। ସମ୍ପୃକ୍ତ ୨ ଅପରାଧୀଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଥିବା କହିଛନ୍ତି SDPO ।