୧୯ ବର୍ଷର ଜଣେ ବାଳକ | ଅଧରାତିରେ କୌଣସି ବିଷୟରେ ଚିନ୍ତା ନକରି ନୋଏଡା ରାସ୍ତାରେ ଦୌଡୁଥିଲେ | ଦେହରୁ ବୋହୁଥିଲା ଗମଗମ ଝାଳ | କିନ୍ତୁ ତାଙ୍କ ମୁହଁରେ ନଥିଲା କୌଣସି ପ୍ରକାର ଉଦାସ ମନୋଭାବ | ସେହି ସମୟରେ କାରରେ ଯାଉଥିବା ଚଳଚ୍ଚିତ୍ର ନିର୍ମାତା ବିନୋଦ କାପଡ଼ି ଉକ୍ତ ବାଳକକୁ ଦେଖି ବ୍ୟସ୍ତ ହୋଇଯାଇଥିଲେ | ଏତେ ରାତିରେ ଏକା ଏକା ବାଳକଟି ରାସ୍ତାରେ ଦୌଡୁଥିବା ଦେଖି ତାଙ୍କୁ କାରରେ ଘରେ ଛାଡିଦେବାକୁ ଦେଇଥିଲେ ପ୍ରସ୍ତାବ । ଚଳଚ୍ଚିତ୍ର ନିର୍ମାତା ବିନୋଦ କାପଡ଼ିଙ୍କ ବାରମ୍ବାର ଅନୁରୋଧ ସତ୍ୱେ ମଧ୍ୟ ସେ ଲିଫ୍ଟ ନେବାକୁ ପ୍ରସ୍ତୁତ ନଥିଲେ | କିନ୍ତୁ ସେ ଲିଫ୍ଟ ନନେବାର କାରଣ ସମ୍ପର୍କରେ ବାଳକଟିକୁ ପଚାରିଥିଲେ | ତେବେ ବାଳକଙ୍କ ଉତ୍ତର ଶୁଣି ନିର୍ମାତା ବିନୋଦ କାପଡ଼ି ଅତ୍ୟନ୍ତ ଭାବବିହ୍ୱଳ ହୋଇପଡିଥିଲେ | ଚଳଚ୍ଚିତ୍ର ନିର୍ମାତା ବିନୋଦ କାପଡ଼ି ବାଳକଙ୍କ ଏକ ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକି ଏବେ ବେଶ ଭାଇରାଲ ହେବାରେ ଲାଗିଛି |
୧୯ ବର୍ଷୀୟ ପ୍ରଦୀପ ମେହେରା | ତାଙ୍କର ସ୍ୱପ୍ନ ଭାରତୀୟ ସେନାରେ ଭର୍ତ୍ତି ହୋଇ ଭାରତ ମାତାର ସେବା କରିବା | କିନ୍ତୁ ଦିନରେ ସେ ଏକ ବେସରକାରୀ ସଂସ୍ଥାରେ କାମ କରୁଥିବାରୁ ତାଙ୍କୁ ପ୍ରାକ୍ଟିସ ପାଇଁ ସମୟ ମିଳୁ ନାହିଁ | ତେଣୁ ସେ ଅଫିସ ସାରି ରାତି ଅଧରେ ଦୌଡିବା ପ୍ରାକ୍ଟିସ କରନ୍ତି | ରାତି ଅଧାରେ ସେ ପ୍ରାୟ 10 କିଲୋମିଟର ଦୌଡ଼ି ଦୌଡ଼ି ନିଜ ଘରକୁ ଯାନ୍ତି |
ଉତ୍ତରାଖଣ୍ଡର ପ୍ରଦୀପ ତାଙ୍କ ବଡଭାଇଙ୍କ ସହ ନୋଏଡାରେ ରହୁଛନ୍ତି | ପ୍ରଦୀପ ମ୍ୟାକଡୋନାଲ୍ଡ କମ୍ପାନୀରେ ଚାକିରି କରୁଛନ୍ତି । ହେଲେ ଇଚ୍ଛା ତାଙ୍କର ସେନାରେ ଭର୍ତ୍ତି ହେବା ପାଇଁ । ତେଣୁ ସେ ରାତି ଅଧରେ ତାଙ୍କ ଅଫିସ ନୋଏଡା ସେକ୍ଟର 16 ରୁ ବାରୋଲାସ୍ଥିତ 10 କିଲୋମିଟର ତାଙ୍କ ଘରକୁ ଫେରିବା ସମୟରେ କୌଣସି ଗାଡି କିମ୍ବା ସାଇକେଲରେ ନଯାଇ ପୂରା ରାସ୍ତାକୁ ଦୌଡି ଦୌଡି ପାର୍ କରିଥାନ୍ତି । ପ୍ରଦୀପ ସକାଳ ସମୟରେ ଦୌଡିବା ଅଭ୍ୟାସ କରିବାକୁ ସମୟ ପାଇନଥାନ୍ତି । ତେଣୁ ସେନାରେ ଭର୍ତ୍ତି ହେବାର ସ୍ୱପ୍ନ ପୂରଣ କରିବା ପାଇଁ ସେ ରାତିକୁ ହିଁ ବାଛି ନେଇଛନ୍ତି ବୋଲି କହିଛନ୍ତି |