ମତଦାନ କେନ୍ଦ୍ରରେ ଅବ୍ୟବସ୍ଥା | ଭୋଟ ଦେଇପାରିଲେନି ଭୋଟର | ବୁଥରୁ ନିରାଶ ହୋଇ ଫେରିଲେ ଲୋକେ | ଭୋଟ ଦେବା ପାଇଁ ହାତରେ ଟୋକନ ଧରି ଥିଲେ ମଧ୍ୟ ଘଉଡ଼ାଇ ଦେଲା ପୋଲିସ | ଜଣେ କି ଦୁଇ ଜଣ ନୁହେଁ ୧୮୦ ଜଣ ଭୋଟର ମତଦାନରୁ ହେଲେ ବଞ୍ଚିତ | ମତଦାନ ପାଇଁ ସବୁ କାମ ଛାଡି ବୁଥ୍ ରେ ପହଁଚିଥିଲେ ବି ନିଜର ମତ ସାବ୍ୟସ୍ତ କରିପାରିନଥିବାରୁ ହୋଇଛନ୍ତି ନିରାଶ | ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଦେଖିବାକୁ ମିଳିଛି ଏପରି ଅବ୍ୟବସ୍ଥା |
ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତରୁ | ଅଟାବୁହା ଗ୍ରାମର ୧ ନମ୍ବର ୱାର୍ଡରେ ୫୭୦ ଭୋଟରଙ୍କ ପାଇଁ ଗୋଟିଏ ମାତ୍ର ବୁଥ କରାଯାଇଥିଲା। ଫଳରେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ମତଦାନ ହୋଇ ନପାରିବାର ଆଶଙ୍କା ଦେଖା ଦେଇଥିଲା। ଭୋଟ ଦେବା ପାଇଁ ଲାଇନରେ ଠିଆ ହୋଇଥିବା ୧୮୦ଜଣ ଭୋଟଙ୍କୁ ପ୍ରିଜାଇଡିଂ ଅଫିସର ଟୋକନ ଦେଇଥିଲେ। ମତଦାତାମାନେ ମତଦାନ ପାଇଁ ଅପେକ୍ଷା କରି ରହିଥିବା ବେଳେ ପୋଲିସ ଆସି ସେମାନଙ୍କୁ ଘଉଡ଼ାଇ ଦେଇଥିଲା | ଫଳରେ ସେମାନେ ଭୋଟ ଦେବାରୁ ବଞ୍ଚିତ ହୋଇଥିଲେ | ଏ ନେଇ ସ୍ଥାନୀୟ ଲୋକେ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗାପ୍ରସାଦ ମହାରଣାଙ୍କ ନିକଟରେ ଅଭିଯୋଗ କରିଛନ୍ତି।