ଭୁବନେଶ୍ୱର : ମେ ପହିଲାରୁ ସାରା ଦେଶରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟୀକାକରଣ । 18ରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟୀକା । ସମ୍ପୂର୍ଣ୍ଣ ମାଗଣାରେ ଟୀକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଆସନ୍ତା 28 ତାରିଖରୁ ପଞ୍ଜୀକରଣ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କେଉଁ ପ୍ରକ୍ରିୟାରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ହେବ ତାହା ଜଣାପଡିବ। 18 ବର୍ଷରୁ ଅଧିକ ବୟସର 44 ବର୍ଷ ଯାଏଁ ବ୍ୟକ୍ତି କୋଓ୍ୱିନ ପୋଟାଲରେ ପଞ୍ଜୀକରଣ କରିବେ । ସେଠି ଦୁଇଟି ପ୍ରକ୍ରିୟା ରହିଛି । ଗୋଟିଏ ପଞ୍ଜୀକରଣ ଓ ଅନ୍ୟଟି ଆପଏଣ୍ଟମେଣ୍ଟ ପ୍ରକ୍ରିୟା ଦେଇ ସମସ୍ତଙ୍କୁ ଆସିବାକୁ ପଡ଼ିବ । ପଞ୍ଜୀକରଣ ପରେ ଟୀକାକୁ ଦେଖି ସ୍ଲଟ ବୁକ କରାଯିବ । ଟୀକା ଆସିବା ପରେ ଆମେ କିଏ କେଉଁ ଦିନ କେଉଁଠି ନେବେ ତାହା ମେସେଜ ମାଧ୍ୟମରେ ଜଣାଇବୁ । ଆମକୁ ଯେତିକି ପରିମାଣର ଟୀକା ମିଳିବ ତାହା ଉପରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ନିର୍ଭର କରିବ । ଆମେ ଦୁଇଟି କମ୍ପାନୀକୁ ଟୀକା ଯୋଗାଈ ଦେବା ପାଇଁ ଚିଠି ଲେଖିଛୁ ମାତ୍ର କିଛି ଉତ୍ତର ଆସି ନାହିଁ । ରାଜ୍ୟରେ ଟୀକାକରଣ ଠିକ ଭାବରେ ଚାଲିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 55 ଲକ୍ଷ 55 ହଜାର 380 ଡୋଜ ଦିଆଯାଇଛି । ଆଜି 540 କେନ୍ଦ୍ରରେ ଟୀକାକରଣ ହେଉଛି । ବର୍ତ୍ତମାନ ରାଜ୍ୟରେ 2.05 ଲକ୍ଷ କୋଭିସିଲ୍ଡ ଓ 3.7 ଲକ୍ଷ କୋଭାକ୍ସିନ ଟୀକା ମହଜୁଦ ରହିଛି । ଯେଉଁମାନେ ଘରୋଇ ହସ୍ପିଟାଲରେ ଟୀକା ବା ପ୍ରଥମ ଡୋଜ ନେଇଛନ୍ତି, ସେମାନେ 2ୟ ଡୋଜ ସରକାରୀ ହସ୍ପିଟାଲରେ ମାଗଣାରେ ନେଇ ପାରିବେ । ଟୀକାର ପ୍ରଥମ ଡୋଜ ନେଇକି ଯଦି କାହାର ପଜିଟିଭ ଆସେ, ତାହା ହେଲେ ସେହି ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହେବାର 4 ସପ୍ତାହ ପରେ 2ୟ ଡୋଜ ନେଇ ପାରିବେ ।