ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଛନ୍ତି ୧୫୩ ଅଫିସର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଲୋକସେବା ଭବନରେ ଆୟୋଜିତ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୂଆ ଅଫିସରଙ୍କୁ ଉଦବୋଧନ ଦେଇ କହିଛନ୍ତି ପ୍ରଶାସନିକ ସେବା କେବଳ ଏକ ବୃତ୍ତି ନୁହେଁ । ଏହା ମାଆ, ମାଟି ଓ ସାଧାରଣ ଜନତାର ସେବା କରିବା ହେଉଛି ଏହାର ଲକ୍ଷ୍ୟ । ସାଧାରଣ ଜନତାର ବିଶ୍ୱାସକୁ କୌଣସି ପରିସ୍ଥିତିରେ ଏଡ଼ାଇ ଦେବା ଅନୁଚିତ । ଅଫିସରମାନଙ୍କ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକ ନିଷ୍ପତ୍ତି ଜନତାଙ୍କ ଆଶା ଓ ବିଶ୍ୱାସକୁ ଶକ୍ତିଶାଳୀ କରିବା ଦିଗରେ ଉଦ୍ଦିଷ୍ଟ ହେବା ଆବଶ୍ୟକ । ଏହି ଦିବସ ପ୍ରତି ଅଫିସରଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅୟମାରମ୍ଭ । ଜଣେ ପ୍ରଶାସନିକ ସେବକ ଭାବେ ପ୍ରତି ଅଫିସର ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ । ନିଜର ଭୂମିକା ଓ ଦାୟିତ୍ୱବୋଧକୁ ସେମାନେ ସୂଚାରୁ ରୂପେ ପାଳନ କରିବା ଉଚିତ ।
ରାଜ୍ୟର ବିକାଶ ଓ ଗରିବଙ୍କ କଲ୍ୟାଣ ଉପରେ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି କଠିନ ପରିଶ୍ରମ ଓ ତ୍ୟାଗ ବଳରେ ହିଁ ଏହି ଆଶା ସାକାର ହୋଇପାରିବ । ଏହା ଜରିଆରେ ଓଡିଶା ୧ ନମ୍ବର ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଫାଇଭ-ଟି ଓ ମୋ ସରକାର ଜରିଆରେ ପ୍ରଶାସନିକ ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଘଟିଛି । ଲୋକଙ୍କ ନିକଟରେ ସେବା ଯୋଗାଇ ଦେବା ଲାଗି ସରକାର ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି । ଏହାସହ ଆଜି ଲୋକସେବା ଭବନରେ ପେନସନଧାରୀଙ୍କ ପାଇଁ ଦେଶରେ ପ୍ରଥମ ଥର ପାଇଁ ଡିଜିଟାଲ ଲାଇଫ ସାର୍ଟିଫିକେଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଇ-ଗଭର୍ଣ୍ଣମେଣ୍ଟ ଡାଏରୀରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି ।
ଏହି ଅବସରରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ନେଇଥିବା ପରିବର୍ତ୍ତନମୂଳକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ନୂତନ ଅଧିକାରୀମାନେ ସେମାନଙ୍କର ସେବା ମନୋଭାବ ମାଧ୍ୟମରେ ଏହି ନୀତିଗୁଡିକ ଅନୁସରଣ କରିବାକୁ ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ |