ରାଜ୍ୟରେ ଆଉ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଓମିକ୍ରନ୍ ଚିହ୍ନଟ ନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସ (ଆଇଏଲ୍ଏସ୍) ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସୂଚନା ଦିଆଯାଇଛି । ଓଡ଼ିଶାରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି । ପୂର୍ବରୁ ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬୧ ଥିଲା। ଏମାନଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇସାରିଛନ୍ତି। ଆଜି ଚିହ୍ନଟ ହୋଇଥିବା ଓମିକ୍ରନ୍ ଆକ୍ରାନ୍ତଙ୍କ ବିଷୟରେ ସମ୍ପୂର୍ଣ ତଥ୍ୟ ମିଳିନାହିଁ । ସେମାନଙ୍କ ମଧ୍ୟରୁ କେତେ ଜଣେ ବାହାରୁ ଆସିଥିଲେ, କି ସମସ୍ତେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି, ତାହା ଜଣାପଡ଼ି ନାହିଁ। ଗତ 2 ଦିନ ତଳେ ରାଜ୍ୟର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ଦେଶରେ ମୋଟା ୩୦୭୧ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିଭଳି ରାଜଧାନୀର ଏକ ଶିକ୍ଷାନୁଷ୍ଠାନରେ ପୁଣି କରୋନା ବିସ୍ଫୋରଣ । ଜାଭିଅର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟରେ ୩୦ରୁ ଅଧିକ ପଜିଟିଭ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି | ଅନ୍ୟପକ୍ଷରେ ଆଜି ରାଜଧାନୀରେ ପୁଣି ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ୩ ଦିନରେ ବିଏମସିରେ ମୋଟ ୨୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିସାରିଲେଣି |