ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ପାରିତ ହେଲା ବିବାଦୀୟ କୃଷି ଆଇନ୍ ପ୍ରତ୍ୟାହର ବିଲ୍ । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଲୋକସଭା ପରେ ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇଛି । ବିଲ୍ ଉପରେ ଚର୍ଚ୍ଚା ହେବାକୁ ଦାବି କରି ବିରୋଧୀମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭା ଓ ରାଜ୍ୟସଭାରେ ଏହି ବିଲ୍ ଆଗତ କରିଥିଲେ । ବିଲ୍ ପାରିତ ହେବା ପରେ ରାଜ୍ୟସଭାକୁ ଅଧଘଣ୍ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ରାଜ୍ୟସଭାରେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡ୍ଗେ କହିଥିଲେ, ଆମେ ପ୍ରତ୍ୟାହର ବିଲ୍କୁ ସ୍ୱାଗତ କରୁଛୁ । କେହି ଏହାର ବିରୋଧ କରୁନାହାଁନ୍ତି, କିନ୍ତୁ ଏହା ଉପରେ ଗୃହରେ ଚର୍ଚ୍ଚା ହେବା ଆବଶ୍ୟକ । ମøସୁମୀ ଅଧିବେଶନ ସମୟରେ ଗୃହରେ ହଟ୍ଟଗୋଳ କରିବା କାରଣରୁ ୧୨ଜଣ ସାଂସଦଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟସଭାର ୧୨ ଜଣ ସାଂସଦଙ୍କୁ ପୂରା ଶୀତକାଳୀନ ଅଧିବେଶନରୁ ସସ୍ପେଣ୍ଡ କରାଯାଇଛି । ଏଥିରେ କଂଗ୍ରେସର ୬ଜଣ ସାଂସଦ ରହିଛନ୍ତି । ଏଥିସହିତ ଟିଏମ୍ସି ଏବଂ ଶିବସେନାର ଦୁଇ ଜଣ ଲେଖାଏଁ ସାଂସଦଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ସାଂସଦମାନେ ମøସୁମୀ ଅଧିବେଶନ ସମୟରେ ଜୋରଦାର ହଟ୍ଟଗୋଳ କରିଥିଲେ । ସେମାନେ ମନ୍ତ୍ରୀମାନଙ୍କୁ କାମ କରିବାକୁ ବାରଣ କରିବା ସହ କେତେଜଣ ଟେବୁଲ ଉପରକୁ ମଧ୍ୟ ଚଢ଼ି ହଙ୍ଗାମା କରିଥିଲେ ।