ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ବୟସ । ପାଠପଢ଼ିବା ପାଇଁ କୌଣସି ସମୟ ନ ଥାଏ । ଯଦି କିଛି କରି ଦେଖାଇବାର ଜିଦି ମନରେ ଆସିଯାଏ ଅସମ୍ଭବକୁ ବି ସିଏ ସମ୍ଭବ କରିଦିଏ । ଏହାର ଏକ ଉଦାହରଣ ଜଣେ ୧୦୪ ବର୍ଷୀୟ ବୃଦ୍ଧାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ବୃଦ୍ଧା ଜଣକ ରାଜ୍ୟ ସାକ୍ଷରତା ଅଭିଯାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବୃଦ୍ଧା ଜଣକ ଖାଲି ପାସ୍ କରିନାହାନ୍ତି ବରଂ ୧୦୦ରୁ ୮୯ ପ୍ରତିଶତ ମାର୍କ ବି ରଖିଛନ୍ତି । ବୃଦ୍ଧା ଜଣକ ହେଲେ କେରଳ କୋଟ୍ଟାୟମ୍ ଜିଲ୍ଲାର ୧୦୪ ବର୍ଷୀୟ ଜେଜେମା’ କୁଟ୍ଟିୟମା । ସେ ସମସ୍ତଙ୍କ ପାଇଁ ଏକ ପ୍ରେରଣା ସାଜିଛନ୍ତି । କୋଟ୍ଟାୟମ୍ ଜିଲ୍ଲାର ଅୟରକୁନ୍ନନ ପଞ୍ଚାୟତ ତରଫରୁ ଏହି ସାକ୍ଷରତା ପରୀକ୍ଷା ଆୟୋଜିତ ହୋଇଥଲା । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୁଟ୍ଟିୟମା କେବେ ବି ସ୍କୁଲ ଦୁଆର ମୁହଁ ମାଡିନାହାନ୍ତି । ସେ ଖାଲି ପଢ଼ିବା ଜାଣିଥିଲେ କିନ୍ତୁ ଲେଖାଲେଖି କରିପାରୁ ନ ଥିଲେ । ସାକ୍ଷରତା ପ୍ରେରକ ରହନା କୁଟ୍ଟିୟମାଙ୍କୁ ଲେଖାଲେଖି ଶିଖାଇଥିଲେ । ବୃଦ୍ଧାଙ୍କ ସଫଳତାରେ ଖୁସିବ୍ୟକ୍ତ କରିଛନ୍ତି ରାଜ୍ୟର ଶିକ୍ଷାମନ୍ତ୍ରୀ ବାସୁଦେବନ ଶିବାନକୁଟ୍ଟି । ସୋସିଆଲ ମିଡିଆରେ ସେ କୁଟ୍ଟିୟମାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।