ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୦୮.୦୨): ତୁର୍କୀ ଓ ସିରିଆରେ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୮ ହଜାର ଟପିଛି । ଏବେବି ଭଗ୍ନାବଶେଷ ତଳେ ବହୁ ଲୋକ ଚାପି ହୋଇ ରହିଥିବା ଆଶଙ୍କାରେ ରେସକ୍ୟୁ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ସେଠାରେ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି ତୁଷାରପାତ । ତୁର୍କୀରେ ହଜାର ହଜାର କୋଠାବାଡ଼ି ଭାଙ୍ଗି ମାଟିରେ ମିଶି ଯାଇଛି । କୋଠା ତଳେ ବହୁ ଲୋକ ଫସି ରହିଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ମାତ୍ର ଭୂମିକମ୍ପ ପରେ ତୁଷାରପାତ ଏବଂ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ଏପରିକି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର ଲ୍ୟାଣ୍ଡ କରିପାରୁ ନ ଥିବା ଜଣାଯାଇଛି। ଫଳରେ କେବଳ ରାସ୍ତା ମାର୍ଗ ଦେଇ ରିଲିଫ୍ ସାମଗ୍ରୀକୁ ପଠାଯାଉଛି।