କୋରାପୁଟ : କାର୍ରେ ଯାଉଥିଲା ପ୍ରାୟ ୮ କୋଟିରୁ ଅଧିକ ପରିମାଣର ଜାଲ୍ ନୋଟ୍ । ଖବର ପାଇ କୋରାପୁଟ ଜିଲ୍ଲା ପଟାଙ୍ଗୀ ପୁଲିସ୍ ବିପୁଳ ପରିମାଣର ଜାଲ ନୋଟ ଜବତ କରି ୩ ଜଣଙ୍କୁ ଅଟକ ରଖିଛି । ଆଜି ଭୋର ସମୟରେ ଏକ କାର୍ ଓଡ଼ିଶା – ଆନ୍ଧ୍ର ସୀମା ଅତିକ୍ରମ କରୁଥିଲା। ଖବର ପାଇ ପଟାଙ୍ଗୀ ପୁଲିସ୍ କାର୍ଟିର ପିଛା କରି ସୁଙ୍କିରେ ଅଟକାଇବାକୁ ସଫଳ ହୋଇଥିଲା। କାର୍ ଭିତରୁ ୭ କୋଟି ୯୦ ଲକ୍ଷ ଟଙ୍କାର କେବଳ ୫୦୦ ଟଙ୍କିଆ ଜାଲ୍ ନୋଟ ଜବତ ହୋଇଛି। ପୁଲିସ୍ କାର୍ରେ ଥିବା ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଛତିଶଗଡ଼ର ରାୟପୁରରୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାକୁ ଜାଲ୍ନୋଟ୍ ଚାଲାଣ କରାଯାଉଥିବାବେଳେ ପୋଲିସ ହାତରେ ଧରାପଡିଥିଲା ଏହି ଗ୍ୟାଙ୍ଗ । ଜାଲନୋଟ ଚାଲାଣ ବେଳେ ଏହି ଗାଡ଼ିକୁ ଅଟକାଇବା ସହ ଜବତ କରିବାରେ ସଫଳ ହୋଇଥିଲା କୋରାପୁଟ ପୋଲିସ । ପରେ ଏନେଇ ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।