ରାଜ୍ୟରେ ଗୋଟିଏ ଲଘୁଚାପ ନଯାଉଣୁ ଆଉ ଗୋଟିଏ ଲଘୁଚାପ ଦାନ ବନ୍ଧିସାରିଲାଣି । ଆଉ ଏପଟେ ଲଘୁଚାପ ପ୍ରଭାବରେ ରାଜ୍ୟର ଏକାଧିକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ବିଶେଷ କରି ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ଘଟୁଥିବା ବେଳେ ଗତକାଲି ମାଲକାନଗିରି ଜିଲ୍ଲାର ବାୟାପଡା ଘାଟିରେ ଭୂସ୍ଖଳନ ଯୋଗୁଁ ୧୯ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ଦୁର୍ଗମ ଅଞ୍ଚଳରେ ବଢିଯାଇଛି ଦୁର୍ଦ୍ଦଶା ।
ଆଜି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବଲାଙ୍ଗିର, ବରଗଡ, ନୂଆପଡା, କଳାହାଣ୍ଡି , ବୌଦ୍ଧ, ସୋନପୁର ଏବଂ ସମ୍ବଲପୁର ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ସେହିପରି ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, ଅନୁଗୁଳ, କଟକ ଏବଂ ଢେଙ୍କାନାଳ ଜିଲ୍ଲାକୁ ମଧ୍ୟ ୟୋଲୋ ୱାର୍ଣ୍ଣି ଜାରି ହୋଇଛି । ସେପଟେ ଆସନ୍ତା ୨୪ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ କେଉଁଠି ଭୂସ୍ଖଳନ ତ ଆଉ କେଉଁଠି ଯୋଗା ଯୋଗ ବିଚ୍ଛିନ୍ନ ମଧ୍ୟ ହୋଇପାରେ । ସମ୍ଭାବ୍ୟ ସ୍ଥିତିକୁ ଦେଖି ପାଣିପାଗ ବିଭାଗ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି । ସେପଟେ ଆସନ୍ତା ୨୩ ତାରିଖରେ ହୀରାକୁଦର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ।