ବ୍ୟୁରୋ : ରାଜ୍ୟରେ ଜାରି ରହିଛି ଭୟଙ୍କର ଗ୍ରୀଷ୍ମପ୍ରବାହ । ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଆଗକୁ ସ୍ଥିତିରେ ଆହୁରି ସାଂଘାତିକ ହେବ। ଦିନର ତାପାମତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କେନ୍ଦ୍ର କହିଛି ଯେ ଆଜି ରାଜ୍ୟର ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ସେହିପରି ଆସନ୍ତା ୬ ତାରିଖ ଯାଏ ରାଜ୍ୟ ତମାମ ଗ୍ରୀଷ୍ମ ପ୍ରବାହ ଏପରି ଭାବେ କଲବଲ କରିବ। ଦିନରେ ଯେତିକି ଗରମ ସହ ଗୁଳୁଗୁଳି ଅନୁଭୁତ ହେଉଛି, ରାତିରେ ବି କୌଣସି ପ୍ରକାରର ଆଶ୍ୱସ୍ତି ମିଳିବ ନାହିଁ। ସମ୍ଭାବ୍ୟ ସ୍ଥିତିକୁ ଦେଖି ଆସନ୍ତା ୩ ଦିନ ପର୍ୟ୍ୟନ୍ତ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲା ପାଇଁ ହିଟୱେଭ୍ ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆଜି ନୟାଗଡ଼, ବୌଦ୍ଧ, କନ୍ଧମାଳ, କଟକ, ଭଦ୍ରକ ଓ ଯାଜପୁରରେ ହିଟୱେଭ ଭଳି ସ୍ଥିତି ଅନୁଭୂତ ହେଉଛି। ବଲାଙ୍ଗିର, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ଢେଙ୍କାନାଳରେ ମଧ୍ୟ ରାତି ବେଳା ପ୍ରବଳ ଗୁଳୁଗୁଳି ଲାଗିବ। ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ଏପ୍ରିଲ ୫ ପାଇଁ ନୟାଗଡ଼, ବୌଦ୍ଧ, କନ୍ଧମାଳ, କଟକ, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୋଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭବ ହେବାର ଥିବାରୁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।