ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୯.୦୩): ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟ ସରକାର ରାଜସ୍ୱ ବିଭାଗ ଅଧୀନରେ ପ୍ରାୟ ୩ ହଜାର ପଦବୀ ପୂରଣ କରିବେ । ରାଜସ୍ୱ ନିରୀକ୍ଷକ, ସହାୟକ ରାଜସ୍ୱ ନିରୀକ୍ଷକ, ଅମିନ , କନିଷ୍ଠ ରାଜସ୍ୱ ସହାୟକ, ଅଡିଟର, ଟାଇପିଷ୍ଟ, ଷ୍ଟେନୋଗ୍ରାଫର, କନିଷ୍ଠ ସହାୟକ, ସହକାରୀ ସହାୟକ ଓ ଅନ୍ୟାନ୍ୟ ପଦପଦବୀରେ ପ୍ରାୟ ୨୯୯୮ଜଣଙ୍କୁ ନିଯୁକ୍ତି ରାଜ୍ୟ ସରକାର ଦେବେ ବୋଲି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଧାନସଭାରେ ସୂଚନା ଦେଇଛନ୍ତି ।
ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଥିଲେ ଯେ, ରାଜସ୍ୱ ପ୍ରଶାସନର କାର୍ୟ୍ୟଶୈଳୀକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶା ପ୍ରଶାସନିକ ସେବା,ପ୍ରଥମ ଶ୍ରେଣୀ(କନିଷ୍ଠ ବର୍ଗ) କ୍ୟାଡ଼ର ସଂଖ୍ୟାକୁ ୧୧୮୮ରୁ ୧୩୧୩କୁ ଏବଂ ଓଡ଼ିଶା ରାଜସ୍ୱ ସେବା(ଦ୍ୱିତୀୟ ବର୍ଗ) କ୍ୟାଡ଼ର ସଂଖ୍ୟାକୁ ୧୦୯୨ରୁ ୧୨୯୦କୁ ବୃଦ୍ଧି କରାଯାଇଛି । ରାଜସ୍ୱ ପ୍ରଶାସନର ସଶକ୍ତିକରଣ ପାଇଁ ଏହି ବିଭାଗ ଦ୍ୱାରା ୯୨୦ଜଣ କନିଷ୍ଠ ରାଜସ୍ୱ ସହାୟକ, ୫୮୬ଜଣ ରାଜସ୍ୱ ନିରୀକ୍ଷକ, ୫୭୬ଜଣ ସହକାରୀ ରାଜସ୍ୱ ନିରୀକ୍ଷକ ସ ୫୩୮ଜଣ ଅମିନଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିପରି ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ୟ୍ୟକାରୀ ହୋଇଥିବା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ-୨୦୧୨ ଏକ ଯୁଗାନ୍ତକାରୀ ପଦକ୍ଷେପ । ଜନସାଧାରଣଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ଅଧିକାର ପ୍ରଦାନ କରିବା ପାଇଁ ରାଜସ୍ୱ ବିଭାଗର ୩୪ଟି ସେବାକୁ ଓଡ଼ିଶା ଗେଜେଟରେ ଅଧିସୂଚିତ କରାଯାଇଛି । ଏହି ବିଭାଗ ଗତ ୪ବର୍ଷ ମଧ୍ୟରେ ଲୋଙ୍କୁ ବିଭିନ୍ନ ବର୍ଗରେ ମୋଟ ୨.୪୪କୋଟି ଲୋକସେବା ଯୋଗାଇ ଦେଇଛି । ଜାତୀୟ ଜନଗଣନା କାର୍ୟ୍ୟକ୍ରମ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୫୫କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।