ବିଜେପି ଗୁରୁବାର ୬ଟି ବିଧାନସଭା ଆସନ ପାଇଁ କରିଛି ପ୍ରାର୍ଥୀ ଘୋଷଣା । ଏଥର ଦଳ ସମସ୍ତ ନୂଆ ମୁହଁକୁ ସୁଯୋଗ ଦେଇଥିବା ଦେଖିବାକୁ ମିଳିଛି । ବିଜେପି ପକ୍ଷରୁ ଗୁରୁବାର ୫ମ ପର୍ୟ୍ୟାୟରେ ଘୋଷଣା ହୋଇଥିବା ବିଧାନସଭା ପ୍ରାର୍ଥୀ ତାଲିକାରେ ଘସିପୁରାରୁ ଡା. ଶମ୍ଭୁନାଥ ରାଉତ, ଭୋଗରାଇରେ ଆଶିଷ ପାତ୍ର, ଭଣ୍ଡାରିପୋଖରୀରେ ସୁଧାଂଶୁ ନାୟକ, ବରୀରେ ଉମେଶ ଚନ୍ଦ୍ର ଜେନା, ବାରବାଟୀ-କଟକରେ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବେଗୁନିଆରେ ପ୍ରକାଶ ଚନ୍ଦ୍ର ରଣବିଜୁଳିଙ୍କୁ ପ୍ରାର୍ଥୀ କରିଛି ।୨୦୧୯ରେ ଯେଉଁମାନଙ୍କୁ ଟିକେଟ୍ ଦେଇଥିଲା ଏଥର ସେମାନଙ୍କୁ ଭରସା କରିନି ଦଳ । ତେବେ ଦେଖିବାକୁ ଗଲେ କେବଳ ନୀଳଗିରି ଆସନକୁ ଛାଡିଦେଲେ, ବର୍ତ୍ତମାନ ସୁଦ୍ଧା ୧୪୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥି ଘୋଷଣା କରିସାରିଛି ଦଳ । ନୀଳଗିରି ଆସନ ପାଇଁ ମେ’ ୭ ତାରିଖରୁ ନାମାଙ୍କନ ଆରମ୍ଭ ହେବାକୁ ଥିବାରୁ ଦଳ ସମୟ ନେଇଥିବା କୁହାଯାଉଛି ।ସେହିଭଳି ଘଷିପୁରା ସିଟ ପାଇଁ ସୌମ୍ୟ ପଟ୍ଟନାକ ଆଶା ପ୍ରକାଶ କରୁଥିବା ଦେଖା ଦେଇଥିଲା, ହେଲେ ଦଳକିନ୍ତୁ ତାଙ୍କୁ ନିରାଷ କରିଛି । ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଦେବାଶିଷ ନାୟକଙ୍କୁ ବିଜେପି ଟିକେଟ୍ ଦେଇନାହିଁ । ଦେବାଶିଷ ବରୀରୁ ବିଜେଡି ଟିକେଟରେ ୨୦୦୦ରୁ ୨୦୧୪ ମଧ୍ୟରେ ୪ଥର ବିଧାୟକ ହୋଇଥିବା ବେଳେ ୨୦୧୯ରେ ବିୁଜେଡି ଟିକେଟ ଦେଇନଥିଲା । ନିକଟରେ ସେ ବିଜେପିରେ ମିଶି ବରୀ ବିଧାନସଭା ପାଇଁ ଟିକେଟ ଆଶାୟୀ ଥିଲେ । କିନ୍ତୁ ବିଜେପି ତାଙ୍କୁ ଭରସା କରିନି। ସେହିପରି ବିଜେଡି ଛାଡ଼ି ବିଜେପିରେ ମିଶିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଦଳ ବାରବାଟୀ-କଟକରେ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲେ ହେଁ ଦଳ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଭରସା କରିଛି ।