ଦାରିଦ୍ର୍ୟ ଦୂରୀକରଣ ପାଇଁ ଉଭୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଛି ମାଳ ମାଳ ଯୋଜନା । ହେଲେ ଗରିବୀ ଏବଂ ଯୋଜନା ସାଙ୍ଗକୁ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ସମନ୍ଵୟର ଅଭାବ କାରଣରୁ ସରକାରୀ ଫାଇଲ ଭିତରେ ହଟୁଛି ଗରିବୀ । ତେବେ ତୃଣମୂଳସ୍ତରରେ କର୍ମନିୟୋଜନର ଅଭାବ ସମସ୍ୟା ଯୋଗୁଁ ଏବେ ଲୋକଙ୍କୁ ଅଧିକ ଯନ୍ତ୍ରଣାଦାୟକ ଜୀବନ ଜୀଇଁବାକୁ ବାଧ୍ୟ କରୁଛି ପରିସ୍ଥିତି। ଆଉ ଦାରିଦ୍ର୍ୟତାକୁ ମୁକାବିଲା କରିନପାରି ଗରିବ ଆଦିବାସୀ ଦମ୍ପତ୍ତି ୫ ମାସର ଶିଶୁ କନ୍ୟାକୁ ୫ ଶହ ଟଙ୍କାରେ ଅନ୍ୟକୁ ଦେଇ ଦେଇଥିବା ଭଳି ସ୍ପର୍ଶକାତର ଘଟଣା ଏବେ ପ୍ରମୁଖ ଆଲୋଚନାର ପ୍ରସଙ୍ଗ ପାଲଟିଥିବା ଦେଖିବାକୁ ମିଳିଛି। ଆଉ ଏଭଳି ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧୀନ କୋହି ପଞ୍ଚାୟତର ସନପୁରିଆ ଗ୍ରାମରୁ l ସୂଚନା ଅନୁଯାୟୀ ଗ୍ରାମର ଲାଖୀଆଁ ହାଁସଦା ନାମକ ଜଣେ ମହିଳା ଶ୍ୟାମାଖୁଣ୍ଟା ବ୍ଲକ ଆମ୍ବଶିକଡା ଗ୍ରାମର ମୋହନ ହାଁସଦାକୁ ଦଶବର୍ଷ ପୂର୍ବେ ବିବାହ କରିଥିଲେ l ବିବାହ ପରେ ଲାଖୀଆଁ ମୋହନଙ୍କ ସହିତ ତାଙ୍କ ବାପଘର ସନପୁରିଆରେ ବସବାସ କରି ଆସୁଛନ୍ତି l ତେବେ ଉଭୟଙ୍କର ଏବେ ୪ ପୁଅ ଏବଂ ୪ ଝିଅ ଅଛନ୍ତି l ଦାରିଦଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ମୋହନ ଜଣେ ଦିନମଜୁରିଆ ହୋଇଥିବାରୁ ଏତେ ବଡ଼ ପରିବାରକୁ ଚଳାଇବା ମୋହନଙ୍କ ପକ୍ଷେ ସମ୍ଭବ ହେଉନଥିଲା l ତେବେ ଶୁଳିଆପଦା ଥାନା ଅଧୀନ ଧାତିକା ଗ୍ରାମର ଜଣେ ଯୁବକ ହାଣ୍ଡି ବିକ୍ରି କରିବାକୁ ସନପୁରିଆ ଗ୍ରାମକୁ ପ୍ରାୟତଃ ଆସନ୍ତି ଏବଂ ମୋହନଙ୍କ ସହିତ ସମ୍ପର୍କରେ ଆସି ତାଙ୍କୁ ଛୁଆ ମାଗନ୍ତି l ଧାତିକା ଗ୍ରାମର ଯୁବକ ଆଜି ମୋହନଙ୍କ ଘରକୁ ଆସିଥିବା ବେଳେ ମୋହନ ଏବଂ ତାଙ୍କ ସ୍ତ୍ରୀ ତାଙ୍କର ସବା ସାନଝିଅ ପାଞ୍ଚ ମାସର ଶିଶୁକନ୍ୟାକୁ ସେହି ଯୁବକଙ୍କ ହାତରେ ଟେକି ଦେଇଥିଲେ l ଏଘଟଣା ପ୍ରଚାର ହେବାପରେ ଖବରପାଇ କୋହି ପଞ୍ଚାୟତର ସୁପରଭାଇଜର ସୁଷମା ପାଣିଗ୍ରାହୀ, ଏନଏମ କର୍ମୀ ପ୍ରଜ୍ଞାପାରମିତା ନାଏକ, ଅଙ୍ଗନବାଡି କର୍ମୀ ଗାଉରା କିସ୍କୁ, ଆଶାକର୍ମୀ ଗୀତାଞ୍ଜଳି ଟିପିରିଆ ମୋହନଙ୍କ ଘରେ ପହଞ୍ଚିଥିବା ଜଣାପଡିଛି l ସେହିପରି ଶୁଳିଆପଦା ଥାନା ଅଧିକାରୀ ଖବରପାଇ ଶୁଳିଆପଦା ସିଡିପିଓଙ୍କୁ ଏବାବଦରେ ଜଣାଇବାରୁ ଧାତିକା ଗ୍ରାମରେ ପହଞ୍ଚି ତଦନ୍ତ କରୁଥିବାର ଜଣାପଡିଛି l