ରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅମାନୁଷିକ ଘଟଣା ଘଟିଯାଇଛି। ଏହି ଥାନା ଅଧୀନ ସୋଢ଼ା ଗ୍ରାମର ଜଣେ ଯୁବକ ସେହି ଗ୍ରାମର ୪ ବର୍ଷର ନାବାଳିକାଙ୍କୁ ମାଛ ମାରିବା ବାହାନାରେ ଘରୁ ଡାକିନେଇ ନିକଟସ୍ଥ ଜଙ୍ଗଲରେ ବଳାତ୍କାର କରିବା ପରେ ମାରି ଫିଙ୍ଗି ଦେଇଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପାଇକମାଳ ଥାନା ଅନ୍ତର୍ଗତ ସୋଢା ଗ୍ରାମର ପ୍ରଶାନ୍ତ ବରିହା (୨୧)ଙ୍କୁ ଗିରଫ କରିଛି। ଏ ନେଇ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠାଇଛି।
ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟାରେ ସୋଢା ଗ୍ରାମର ପ୍ରଶାନ୍ତ ସେହି ଗ୍ରାମର ଉକ୍ତ ନାବାଳିକାଙ୍କୁ ମାଛ ମାରିଯିବା ବୋଲି କହି ତାଙ୍କୁ ସାଙ୍ଗରେ ନେଇଯାଇଥିଲେ। ସେ ନିକଟରେ ଥିବା ଡୁଙ୍ଗୁରି ଜଙ୍ଗଲକୁ ଉକ୍ତ ନାବାଳିକାଙ୍କୁ ନେଇ ବଳାତ୍କାର କରିଥିଲେ। ଘଟଣା ପ୍ରଘଟ ହେବା ଭୟରେ ସେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଅନ୍ୟପକ୍ଷେ ଘରେ ଝିଅ ନ ଥିବା ଦେଖି ପରିବାର ଲୋକେ ଖୋଜାଖୋଜି କରି ପାଇ ନ ଥିଲେ। ପରେ ପ୍ରଶାନ୍ତ ତାଙ୍କ ଝିଅଙ୍କୁ ମାଛ ମାରିଯିବା କହି ନେଇଯାଇଥିବା ଜଣାପଡିବାରୁ ଗ୍ରାମର ଯୁବକମାନେ ପ୍ରଶାନ୍ତଙ୍କୁ ଧରି ପଚରାଉଚରା କରିଥିଲେ। ଏହାପରେ ପ୍ରଶାନ୍ତ ଉକ୍ତ ନାବାଳିକାଙ୍କୁ ବଳାତ୍କାର କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ସ୍ବୀକାର କରିଥିଲେ ବୋଲି ପୋଲିସ କହିଛି। ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ତଦନ୍ତ ଚାଲିଛି ବୋଲି ପାଇକମାଳ ଥାନାଧିକାରୀ ସୁଶାନ୍ତ କୁମାର ପ୍ରଧାନ ଜଣାଇଛନ୍ତି।