୩ ଦିନରେ ଶେଷ କରିଛି ଦକ୍ଷିଣ ଆଫ୍ରିକା । ଭାରତକୁ ଇନିଂସ ଓ ୩୨ ରନରେ ହରାଇ ୨ ଟିକିଆ ଟେଷ୍ଟ ସିରିଜ୍ରେ ୧-୦ରେ ଆଗୁଆ ହୋଇଯାଇଛି ଦକ୍ଷିଣ ଆଫ୍ରିକା।
ତୃତୀୟ ଦିନର ମଧ୍ୟାହ୍ନ ଭୋଜନ ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଭାରତ ମାତ୍ର ୧୩୧ ରନରେ ଅଲଆଉଟ ହୋଇଯାଇଛି। ଏପରି କି ଦଳ ୩୫ ଓଭର ମଧ୍ୟ ବ୍ୟାଟିଂ କରିବାକୁ ସକ୍ଷମ ହୋଇନାହିଁ। ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୭୬ ଓ ଶୁବମନ ଗିଲ୍ ୨୬ ରନ କରିଛନ୍ତି। ଏହି ଦୁଇ ବ୍ୟାଟରଙ୍କୁ ଛାଡ଼ି ଦେଲେ ଆଉ କୌଣସି ଭାରତୀୟ ବ୍ୟାଟର ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନାହାନ୍ତି।
ଦକ୍ଷିଣ ଆଫ୍ରିକା ମ୍ୟାଚ୍କୁ ୩ ଦିନ ମଧ୍ୟରେ ଶେଷ କରି ଦମଦାର ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଥର ପାଇଁ ଭାରତ ବିପକ୍ଷରେ ଇନିଂସ ବିଜୟ ପାଇଛି। ପୂର୍ବଥର ମଧ୍ୟ ୨୦୧୧ରେ ଏହି ସେଞ୍ଚୁରିଅନରେ ଦଳ ଭାରତ ବିପକ୍ଷରେ ଇନିଂସ ବିଜୟ ହାସଲ କରିଥିଲା। ଭାରତୀୟ ବ୍ୟାଟରମାନେ ଉଭୟ ଇନିଂସରେ ଦକ୍ଷିଣ ଆଫ୍ରିକାର ପେସ୍ ବୋଲିଂକୁ ସାମ୍ନା ନ କରିପାରି ଧରାଶାୟୀ ହୋଇଛନ୍ତି। ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଦଳ ପ୍ରଥମଥର ପାଇଁ ଇନିଂସ ପରାଜୟ ବରଣ କରିଛି।
ଭାରତ ପ୍ରଥମ ଇନିଂସରେ ୨୪୫ ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୪୦୮ ରନ କରିଥିଲା। ଏଥିସହ ଦଳକୁ ଗୁରୁତ୍ୱପୂର୍ଣ୍ଣ ୧୬୩ ରନର ଲିଡ ମିଳିଥିଲା। ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୩୧ ରନରେ ଅଲଆଉଟ ହୋଇଯାଇଛି।