‘ଓଡ଼ିଶା ବଂଚାଅ’ ସମାବେଶ କରି ଦମ୍ ଦେଖାଇବ କଂଗ୍ରେସ । ଏହି ସମାବେଶରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଯୋଗ ଦେଇ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ । ଏନେଇ ଆଜି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି ।
କଂଗ୍ରେସ ଭବନରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ, ପିସିସି ମିଡିଆ ସେଲ୍ ମୁଖ୍ୟ ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି ଯେ, ଆସନ୍ତା ୨୯ତାରିଖରେ ଭୁବନେଶ୍ୱରର ଲୋଏର ପିଏମଜିଠାରେ ଓଡ଼ିଶା ବଂଚାଅ ସମାବେଶ ଆୟୋଜନ କରାଯାଇଛି । ଏଥିରେ କଂଗ୍ରେସ କର୍ମୀ ଓ ନେତାମାନଙ୍କ ସହ ବହୁ ସଂଖ୍ୟାରେ କଂଗ୍ରେସ ସମର୍ଥକ ଯୋଗ ଦେବେ । କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଉଥିବା ଲୋକମାନେ ଏହି ସମାବେଶରେ ସାମିଲ ହେବାକୁ ଦଳର ନେତାମାନେ ଆହ୍ୱାନ ଦେଇଛନ୍ତି । ଏଆଇସିସି ଅଧ୍ୟକ୍ଷ ଶ୍ରୀ ଖଡଗେ ଏହି ସମାବେଶକୁ ସମ୍ବୋଧିତ କରିବେ । ଏଆଇସିସି ଅଧ୍ୟକ୍ଷ ହେବାପରେ ଶ୍ରୀ ଖଡଗେଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ।
ବିଜେଡି ଶାସନର ୨୪ ବର୍ଷ ପରେ ମଧ୍ୟ ରାଜ୍ୟର ୫୨% ଲୋକ ଦରିଦ୍ର ହୋଇ ରହିଛନ୍ତ । ରାଜ୍ୟରେ ହାରାହାରି ୨ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିବାବେଳେ ୧୦ଲକ୍ଷ ପଞ୍ଜିକୃତ ବେକାର ଶିକ୍ଷିତ ଯୁବକଯୁବତୀ ବେସାହାରା ହୋଇପଡ଼ିଛନ୍ତି । ଆଜି ବି ସାଧାରଣ ଲୋକ ମୌଳିକ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । ରାଜ୍ୟରେ ଦୁର୍ନୀତି ଚରମସୀମାରେ ପହଂଚିଛି । ଓଡ଼ିଆ ଜାତିକୁ ଧ୍ୱଂସ କରିବାକୁ ରୀତିମତ ଷଡ଼ଯନ୍ତ୍ର ରଚାଯାଉଛି । ଏପରିକି ଅଣଓଡ଼ିଆଙ୍କ ହାତକୁ ଶାସନ କ୍ଷମତା ଟେକି ଦେବାପାଇଁ ମସୁଧା ଚାଲିଛି, ଯାହାକୁ କଂଗ୍ରେସ କେବେ ବରଦାସ୍ତ କରିବ ନାହିଁ । ଓଡ଼ିଶାରେ ଓଡ଼ିଆଙ୍କ ହକ୍ ରହିଛି । ଏହି ହକ୍ ଉପରେ ଆକ୍ରମଣ ହେଲେ ଓଡ଼ିଶା କଂଗ୍ରେସ କେବେ ଚୁପ୍ ହୋଇ ବସିବ ନାହିଁ ବୋଲି ଦଳ ନେତାମାନେ କହିଛନ୍ତି ।