ଭାରତରେ କେରାନା ଭାଇରସ ସଂକ୍ରମଣ ଆହୁରି ଖରାପ ସ୍ତରକୁ ଚାଲିଯାଇଛି । କରୋନାର ୨ୟ ଲହର ମାଡ଼ିଚାଲିଛି । ଏହାରି ମଧ୍ୟରେ ମାତ୍ର ୨୪ ଘଣ୍ଟାରେ ପ୍ରାୟ ୩ ଲକ୍ଷ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ହଜାର ଅତିକ୍ରମ କରିଛି । ଭାରତରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ କରୋନା ସଂକ୍ରମଣ ଏଭଳି ଭାବରେ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଯଦିଓ ସ୍ପଷ୍ଟ କରାନାହିଁ, ତଥାପି ୱାଲଡୋମିଟର ତଥ୍ୟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨ ଲକ୍ଷ ୯୪ ହଜାର ୧୧୫ ଜଣ ସଂକ୍ରମିତ ହୋଇଛନ୍ତି । ଅପରପକ୍ଷେ ୨ ହଜାର ୨୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ପରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୯ ହଜାର ୪ରେ ପହଂଚିଛି । ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୨ ହଜାର ୫୭୦କୁ ବୃଦ୍ଧି ପାଇଛି । ଦେଶରେ ସକ୍ରିୟ କୋଭିଡ ସକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ୫୦ ହଜାର ୧୧୯ ହୋଇଛି । ତଥ୍ୟ ଅନୁସାରେ କୋଭିଡରୁ ଠିକ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୨ ଲକ୍ଷ ୬୯ ହଜାର ୮୬୩ । ଭାରତରେ କରୋନା ସଂକ୍ରମିତ ଦର ବୃଦ୍ଧି ପାଉଥିବା ବେଳେ ସୁସ୍ଥତା ହାର ହ୍ରାସ ପାଇଛି । ଜାତୀୟ ସ୍ତରରେ ମୃତ୍ୟୁ ଦର ୧.୨ ପ୍ରତିଶତ ହୋଇଥିବା ବେଳେ ମହାରାଷ୍ଟ୍ରରେ ଏହା ୧.୫ ଓ ପଶ୍ଚିମବଙ୍ଗରେ ୧.୬ ପ୍ରତିଶତ । ଉତ୍ତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼ରେ କରୋନା ସଂକ୍ରମଣ ଅଧିକ ବ୍ୟାପିଛି ।