୨୩ରେ ‘ୱାନ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କମିଟିର ପ୍ରଥମ ବୈଠକ ବସିବ। ଏହି ସୂଚନା ଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ‘ୱାନ ନେସନ, ୱାନ ଇଲେକ୍ସନ’ କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦ। ସେ ଆଜି ଭୁବନେଶ୍ୱର ଗସ୍ତରେ ଆସିଥିବା ଅବସରରେ ଏହି କଥା କହିଛନ୍ତି। ରାମନାଥ କୋବିନ୍ଦ ଏକ ଘରୋଇ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ୱର ଆସିଛନ୍ତି।
ଏକା ଥରକେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ କରାଇବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର। ଏହାକୁ କେମିତି କାର୍ଯ୍ୟକାରୀ କରାଯାଇପାରିବ, ସେଥିପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟିର ଅଧ୍ୟକ୍ଷ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ।