ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୬.୦୨): ୨୦୨୩ରେ ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ମିଳିବ ବୋଲି ଗତବର୍ଷ ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ନୂଆ ଜିଲ୍ଲାର ମାନ୍ୟତା ନେଇ ମୁଖ୍ୟମନ୍ତ୍ରୀ ଆସନ୍ତା ୨୦ ତାରିଖରେ ପଦ୍ମପୁର ଗସ୍ତ କରିବାର ସମ୍ଭାବନା ରହିଛି । ଜିଲ୍ଲାବାସୀଙ୍କୁ ଦେଇଥିବା ପୂର୍ବ ପ୍ରତିଶ୍ରୁତି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ଏନେଇ ସରକାରୀ କିମ୍ବା ଦଳୀୟ ସୂତ୍ରରୁ କିଛି ସୂଚନା ପ୍ରଦାନ କରାଯାଇନଥିବା ବେଳେ ଏହା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
କୁହାଯାଉଛି, ପଦ୍ମପୁର ବାସୀଙ୍କ ଜିଲ୍ଲା ସ୍ୱପ୍ନକୁ ନବୀନ ତାଙ୍କ ନିଜ ମାଟିରେ ହିଁ ପୂରଣ କରିବେ । ପଦ୍ମପୁର ଜିଲ୍ଲା ମାନ୍ୟତା ଦାବି ଉଠିବା ପରେ ଜିଲ୍ଲାବାସୀ ନବୀନ ନିବାସକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ ନିରାଶ ନକରି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଖୁବଶୀଘ୍ର ଏକ କମିଟି ଗଠନ ହେବ ବୋଲି କୁହାଯାଇଥିଲା । ଜିଲ୍ଲା ମାନ୍ୟତା ନେଇ ବିଭାଗ ପ୍ରସ୍ତୁତ ଥିବା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଥିଲେ । ତେଣୁ କେବେ ପୂରଣ ହେବ ପଦ୍ମପୁର ଜିଲ୍ଲା ସ୍ୱପ୍ନ ସେନେଇ ପଦ୍ମପୁର ବାସୀଙ୍କୁ ଆଉ ରାତିରେ ନିଦ ନାହିଁ ।