ସେଦିନ ବି ଥିଲା ଫେବୃଆରୀ ମାସ ୧୪ ତାରିଖ । ସମୟ ଥିଲା ଅପରାହ୍ନ ୩ଟା । ସାରା ଦେଶ ପାଳୁଥିଲା ପ୍ରେମ ଦିବସ । କିନ୍ତୁ ଏହି ଖୁସିର ମୂହୁର୍ତ୍ତରେ ବୋଧହୁଏ କାହାର ଲାଗି ଯାଇଥିଲା ନଜର । ହଠାତ୍ ପ୍ରଚଣ୍ଡ ଶବ୍ଦରେ କମ୍ପି ଉଠିଥିଲା ପୁଲୱାମା । ଆଉ ନିମିଷକ ମଧ୍ୟରେ ସହିଦ ହୋଇ ଯାଇଥିଲେ ୪୦ ଭାରତୀୟ ଯବାନ ।
୨୦୧୯ ପୁଲୱାମା ଆକ୍ରମଣକୁ ବିତିଲା ୬ ବର୍ଷ । କିନ୍ତୁ ଆଜି ବି ମନରୁ ଲିଭିନି ସେହି ଛାତିଥରା ଦୃଶ୍ୟ । ପୁଲୁୱାମା ଜିଲ୍ଲାର ଲେଥାପୁର ନିକଟରେରୁ ଆସିଥିଲା ହୃଦୟବିଦାରକ ଖବର । ବର୍ବର ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ଘଟାଇଥିଲା ଆତ୍ମଘାତୀ ବିସ୍ଫୋରଣ । ଯାହାକି ପୁରା ଦେଶକୁ ଦୋହଲାଇ ଦେଇଥିଲା । ଯବାନଙ୍କ ପ୍ରଣବଳୀରେ କାନ୍ଦି ଉଠିଥିଲା ସାରା ଦେଶ । ଜମ୍ମୁ ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ଯାଉଥିଲା ୭୮ଟି ବସ୍ । ସବୁଦିନ ପରି ଯବାନ ମାନେ ‘ମେରେ ଦେଶ କି ଧରତୀ’ ଗୀତ ଗାଇ ଗାଇ ଗନ୍ତବ୍ୟ ସ୍ଥଳକୁ ଆଗେଇ ଚାଲିଥିଲେ । ଯବାନଙ୍କ ଗାଡି ପୁଲୱାମା ପହଞ୍ଚିଛି କି ନାଇଁ ରାସ୍ତାର ଆରପଟୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଞ୍ଚଳ ଦୋହଲି ଯାଇଥିଲା । ଆତଙ୍କବାଦୀ ଆଦିଲ୍ ମହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳି ପଡିତିଲେ ସି ଆର୍ ପି ଏଫ୍ ର ଯବାନମାନେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜି ଯାଇଥିଲା ରାଜରାସ୍ତା । ସାରା ଦେଶରେ ଖେଳି ଯାଇଥିଲା ଶୋକର ଛାୟା ।
ଏତିକିରେ ସରି ନଥିଲା ନର ରାକ୍ଷାସଙ୍କ ଉତ୍ପାତ । ବିସ୍ଫୋରଣ ପରେ ଯବାନଙ୍କ ଉପରକୁ କରିଥିଲେ ଅନ୍ଧାଧୁନ୍ ଗୁଳିମାଡ । ସାଥି ଜବାନ ମାନେ କଣ ହେଲା ବୋଲି ଦେଖିଲା ବେଳକୁ ଆତଙ୍କବାଦୀଙ୍କ ଗୁଳି ବର୍ଷଣ ଆରମ୍ଭ ହୋଇ ଯାଇଥିଲା । ଧମାକା ଏତେ ଜୋରରେ ଥିଲା ଯେ ଉକ୍ତ ସ୍ଥାନଟି କିଛି ସମୟ ପାଇଁ ହୋଇ ଯାଇଥିଲା ଧୂଆଁମୟ । ଧୂଆଁ ହଟିଲା ପରର ଦୃଶ୍ୟ ଏତେ ହୃଦୟବିଦାରକ ଥିଲା ଯେ ସାରା ଦେଶ ଏହାକୁ ଦେଖି କାନ୍ଦି ଉଠିଥିଲା । ଯବାନମାନେ ନିଜ ସାଥିଙ୍କୁ ପାଗଳ ଭଳି ଖୋଜିବାକୁ ଲାଗିଥିଲେ । ଆଉ ୪୦ ବୀର ସହିଦ ହେବାର ଖବର ଟେଲିଭିଜନ ପରଦାରେ ବାଜି ଉଠିଥିଲା । କିଏ ନିଜ ସ୍ୱାମୀଙ୍କୁ ହରାଇଥିଲା ତ କିଏ ବାପାକୁ ହରାଇଥିଲା । ଆଉ କିଏ ନିଜ ଯବାନ ପୁଅକୁ ହରାଇ ବେସାହାରା ହୋଇ ପଡିଥିଲା । ସେହିପରି କିଏ ନିଜ ବିବାହର ପ୍ରସ୍ତୁତି କରି ଚାକିରୀକୁ ଯାଇଥିଲା ବେଳେ କଫିନରେ ନିଜ ଗାଁକୁ ଫେରିଥିଲେ । ଦେଶପାଇଁ ଜୀବନ ଦେଇଥିବା ସେହି ସହିଦ ମାନଙ୍କୁ ଆଜି ବି ଝୁରୁଛି ମା ମାଟି । ଗୁମୁରି ଗୁମୁରି କାନ୍ଦୁଛନ୍ତି ପରିବାର ଓ ପ୍ରିୟଜନ ।
ଏହି ଘଟଣା ଦେଶକୁ ଏଭଳି ଦୋହଲାଇ ଦେଇଥିଲା ଯେ ସମସ୍ତଙ୍କ ଆଖିରେ ଜଳୁଥିଲା ପ୍ରତିଶୋଧର ନିଆଁ । ଟିଭି, ସୋସିଆଲ ମିଡିଆଠୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ପାଲଟା ଯବାବ ଦେବାକୁ ଅଣ୍ଟା ଭିଡିଥିଲେ । ସେଥିପାଇଁ ଆକ୍ରମଣର ଠିକ୍ ୧୨ ଦିନ ପରେ ମାନେ ଫେବୃଆରି ୨୬ରେ ଭାରତୀୟ ବାୟୁସେନା ପକ୍ଷରୁ ପାକ୍ ସ୍ଥିତ ବାଲାକୋଟ୍ ରେ ଆତଙ୍କୀ ସଙ୍ଗଠନ ଜୈସ୍-ଏ-ମହମ୍ମଦ ଉପରେ ଏୟାର ଷ୍ଟ୍ରାଇକ୍ କରା ଯାଇଥିଲା । ଏଥିରେ ପାଖାପାଖି ୩୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ । କିନ୍ତୁ ଆଜି ବି ଭାରତର ୪୦ ବୀର ପୁଅଙ୍କୁ ହରାଇଥିବା ଘଟଣା କାହାରି ମନରୁ ଲିଭି ନାହିଁ ।