୨୭ବର୍ଷ ପରେ ଦେଶର ରାଜଧାନୀ ଦିଲ୍ଲୀରେ ବିଜେପି ସରକାର ଗଠନ କରିଛି। କିନ୍ତୁ ହଟୁନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସସପେନ୍ସ । ରେଜଲ୍ଟର ୧୦ ଦିନ ପରେ ଦିଲ୍ଲୀରେ ବିଜେପିର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଏବେ ବି କନଫୁ୍ୟଜ୍ । ଆଜି ମୁଖ୍ୟମନ୍ତ୍ରୀ ନାଁରେ ବାଜିପାରେ ମୋହର। ସନ୍ଧ୍ୟାରେ ବିଜେପି ବିଧାୟକ ଦଳର ବୈଠକ ବସିବ। ଏଥିରେ କିଏ ମୁଖ୍ୟମନ୍ତ୍ରୀ ହେବେ, ସ୍ଥିର ହେବାର ଖୁବ୍ ସମ୍ଭାବନା ରହିଛି । ରେସରେ ଜଣେ ମହିଳାଙ୍କ ସହ ୫ ଜଣ ରହିଛନ୍ତି। ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ପର୍ବେଶ ବର୍ମା । ପ୍ରବେଶ ବିଜେପିର ଏମିତି ଜଣେ ନେତା ଯିଏ କି ନୂଆଦିଲ୍ଲୀ ଆସନରୁ ଆପ୍ ମୁଖ୍ୟ ତଥା ପୂର୍ବତନ ମୂଖ୍ୟମନ୍ତ୍ରୀ ଅରବିନ୍ତ କେଜ୍ରିୱାଲଙ୍କୁ ହରାଇଛନ୍ତି । ଏହା ପରେ ଆଶିଷ ସୁଦ୍ଦଙ୍କ ନାଁ ଆସୁଛି । ଯିଏ କି ଦିଲ୍ଲୀ ବିଜେପିର ମହାସଚିବ ତଥା ଜନକପୁରୀ ଆସନରୁ ନିର୍ବାଚିତ ହୋଇଛନ୍ତି । କେନ୍ଦ୍ର ନେତୃତ୍ୱଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବାରୁ ତାଙ୍କୁ ନେଇ ବି ଚର୍ଚ୍ଚା ହେଉଛି । ଏହାପରେ ତାଲିକାରେ ରହିଛନ୍ତି ରେଖା ଗୁପ୍ତା । ଦିଲ୍ଲୀ ଏଥର ମହିଳା ମୁଖୃମନ୍ତ୍ରୀ ପାଇବ ବୋଲି ମଧ୍ୟ ଅନେକ ଚର୍ଚ୍ଚା ହେଉଛି । ସାଲିମାର ବାଗ ଆସନରୁ ସେ ଏଥର ନିର୍ବାଚନ ଜିତିଛନ୍ତି । ଦିଲ୍ଲୀର ବରିଷ୍ଠ ତଥା ବିରୋଧୀ ଦଳ ନେତା ଭୁମିକା ନିଭାଇଥିବା ବିଜେନ୍ଦର ଗୁପ୍ତାଙ୍କ ନାଁ ବି ତାଲିକାରେ ରହିଛି । ଏହା ସହ ମାଲବୀୟ ନଗରରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସତୀଶ ଉପାଧ୍ୟାୟ ଓ ଆରଏସଏସ ସଂଘର କର୍ମକର୍ତ୍ତା ଜିତେନ୍ଦ୍ର ମହାଜନଙ୍କ ନାମ ମଧ୍ୟ ରେସ୍ ରେ ସାମିଲ ଅଛି ବୋଲି ଶୁଣିବାକୁ ମିଳୁଛି ।
ତେବେ ୨୦ରେ ରାମଲୀଳା ମୈଦାନରେ ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ । ଏଥିପାଇଁ ମଞ୍ଚ ବି ପ୍ରସ୍ତୁତ କରାଯାଉଛି । ଜୋର ଶୋରରେ ଚାଲିଛି ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି କାମ। ସମାରୋହରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏନଡିଏର ସହଯୋଗୀ ଦଳ ନେତା ବି ଏଥିରେ ସାମିଲ ହେବେ । ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଶପଥଗ୍ରହଣ ସମାରୋହରେ ସାମିଲ ହେବେ । ଅମ୍ବାନୀ-ଆଦାନୀଙ୍କ ସହ ବଲିଉଡ ସେଲିବ୍ରିଟି ମଧ୍ୟ ଉପସ୍ଥିତ ରହିବେ ଶପଥ ଗ୍ରହଣ ଉତ୍ସବରେ ।