କୋଲକାତା ଲଜ୍ଜା ଘଟଣାରେ ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି। ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳୁଛି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ପଶ୍ଚିମବଙ୍ଗରେ ୧୨ ଘଣ୍ଟିଆ ସାଧାରଣ ଧର୍ମଘଟ ବଙ୍ଗଳା ବନ୍ଦ୍ ଆହ୍ବାନ କରିଛି। ଚଳିତମାସ ଆରମ୍ଭରେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ ଆରମ୍ଭ କରିଛନ୍ତି।ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଫଳରେ ରାସ୍ତାରୋକ ସହ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି। କିଛି ସ୍ଥାନରେ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୁଲିସ। ବନ୍ଦ ପ୍ରଭାବ ଯୋଗୁ କୋଲକାତାର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ତ୍ରୁଣ ମୂଳ କଂଗ୍ରେସ (ଟିଏମ୍ସି) ସରକାର ଏହି ଘଟଣାରେ ଜନସାଧାରଣଙ୍କ ନ୍ୟାୟ ଦାବି ଉପରେ ଅବହେଳା କରିଛନ୍ତି ବୋଲି ବିଜେପି ନେତା ପ୍ରକାଶ କରିଛନ୍ତି।
ପ୍ରଦର୍ଶନକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନବାନା ନିକଟରେ ପହଞ୍ଚିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ, ଲୁହବୁହା ଗ୍ୟାସ୍ ଏବଂ ପାଣି ତୋପ ବ୍ୟବହାର କରିଥିଲା।
ନବାନା ବିରୋଧ ପ୍ରଦର୍ଶନ ସମୟରେ ଗିରଫ ହୋଇଥିବା ଲୋକଙ୍କୁ ଆଇନଗତ ସହାୟତା ଯୋଗାଇବା ପାଇଁ ବିଜେପି ଏକ ହେଲ୍ପଲାଇନ ମଧ୍ୟ ସ୍ଥାପନ କରିଛି। ତେବେ ଆନ୍ଦୋଳନକାରୀମାନେ ସେମାନଙ୍କ ଦାବିରେ ମମତାଙ୍କ ଇସ୍ତଫା ବ୍ୟତୀତ ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରିଛନ୍ତି। ବନ୍ଦ ପାଳନକୁ ବିରୋଧ କରିବା ସହିତ, ଜୀବନଯାତ୍ରା ସ୍ୱାଭାବିକ ରହିବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ସରକାର। ତେଣୁ ସମସ୍ତ ସ୍କୁଲ, କଲେଜ, ଅଫିସ୍, ବ୍ୟାଙ୍କ, ବସ୍ ଚଳାଚଳ ଆଦି ଖୋଲା ରହିବ ଏବଂ ସମସ୍ତେ ଅଫିସ ଆସିବାକୁ ଅପିଲ୍ କରିଛନ୍ତି ମମତା ବାନାର୍ଜୀ। ବନ୍ଦ ପାଳନ ସମୟରେ କୋଲକାତାରେ ଆଜି ସରକାରୀ ବସ୍ ସେବା ଚାଲୁ ରହିଛି। ତେବେ ଏହି ସମୟରେ କିଛି ଅଘଟଣ ଆଶଙ୍କାରେ ବସ୍ ଚାଳକମାନେ ହେଲମେଟ୍ ପିନ୍ଧି ବସ୍ ଚଳାଉଥିବା ଦେଖିବାକୁ ମିଳିଛି। ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ କରିଥିବା ଦମନଲୀଳାକୁ ବିରୋଧ କରି ବିଜେପି ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳୁଥିବା ବେଳେ ପଶ୍ଚିମବଙ୍ଗ ସରକାର କିନ୍ତୁ ବନ୍ଦକୁ ବିରୋଧ କରୁଛନ୍ତି।