୫ବର୍ଷ ପରେ ହ୍ୱାଇଟ୍ ହାଉସରେ ଦୁଇ ନେତା । ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯିବା ପରେ ଏବେ ହ୍ୱାଇଟ୍ ହାଉସରେ ହେଉଛି ବୈଠକ । ଏହା ଉପରେ ରହିଛି ପୁରା ବିଶ୍ୱର ନଜର । ଦ୍ୱିତୀୟ ଥର ଲାଗି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ହେବା ପରେ ମୋଦୀଙ୍କୁ ଫୋନ୍ କରିଥିଲେ ଏବଂ ଆମେରିକା ଯିବାକୁ କହିଥିଲେ । ମୋଦି ବି ଟ୍ରମ୍ପଙ୍କ କଥା ରଖି ପହଞ୍ଚିଛନ୍ତି ହ୍ୱାଇଟ୍ ହାଉସରେ । ମୋଦିଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରା ଯାଇଥିଲା । ଟ୍ରମ୍ପ ମୋଦୀଙ୍କୁ ଦେଖି କହିଥିଲେ ଆମେ ଆପଣଙ୍କୁ ବହୁତ ମିସ୍ କରିଛୁ । ମୋଦୀ ପ୍ରତିଉତ୍ତରରେ କହିଥିଲେ ମୁଁ ଆପଣଙ୍କୁ ଭେଟି ବହୁତ ଖୁସି । ଏହା ପରେ ଟ୍ରମ୍ପ ନିଜେ ମୋଦୀଙ୍କୁ ଚେୟାର ଟାଣି ବସାଇଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଲା, ମୋଦୀଙ୍କୁ ସାକ୍ଷାତ କରିବା ସମୟରେ ଟ୍ରମ୍ପ ଏକ ଡାଏରୀ ମୋଦୀଙ୍କୁ ଦେଇଥିଲେ । ସେଠାରେ ଲେଖାଥିଲା ମୋଦି ୟୁ ଆର୍ ଗ୍ରେଟ୍ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ, ଏହି ଡାଏରୀକୁ ନେଇ ଟ୍ରମ୍ପଙ୍କ ପ୍ରଥମ ପାଳିରେ ବେଶ ଚର୍ଚ୍ଚା ହୋଇଥିଲା । ହାଉଡି ମୋଦୀ କାର୍ୟ୍ୟକ୍ରମରେ ଏହି ଡାଏରୀ ମଧ୍ୟ ସାମିଲ ଥିଲା ।
ତେବେ ଉଭୟଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ଆଲୋଚନା ହୋଇଛି। ଟ୍ରେଡ, ପ୍ରତିରକ୍ଷା ଓ ଆତଙ୍କବାଦ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୁଇ ନେତା କଥାବାର୍ତ୍ତା ହୋଇଛନ୍ତି। ଆଲୋଚନା ପରେ ପ୍ରେସ କନଫ୍ରେନ୍ସରେ ମୋଦି କହିଛନ୍ତି ଆମେ ମିଳିତ ଭାବେ ବିଶ୍ୱର ହିତ ଲାଗି କାମ କରିବୁ। ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମୋଦି କହିଛନ୍ତି ଭାରତ ଶାନ୍ତିର ପକ୍ଷଧାର, ଯୁଦ୍ଧ.. ସମସ୍ୟାର ସମାଧାନ ନୁହେଁ। ଯୁଦ୍ଧ ଶେଷ ଲାଗି ଟ୍ରମ୍ପଙ୍କ ପ୍ରୟାସକୁ ଭାରତ ସମର୍ଥନ କରୁଛି।
ସେପଟେ ଟ୍ରମ୍ପ କହିଲେ ଆମେ ଯୁଦ୍ଧ ଶେଷ କରିବାକୁ ଚାହୁଁଛୁ। ଏହା ସହିତ ଭାରତ ଆମେରିକାଠାରୁ ତେଲ ଓ ଗ୍ୟାସ କିଣିବ ବୋଲି ଟ୍ରମ୍ପ କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରକାରୀ ତହବୁର ରାଣାକୁ ଭାରତ ପ୍ରତ୍ୟାବର୍ତ୍ତନ କରାଯିବ।
ସେହିପରି ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ଦ୍ୱୀପାକ୍ଷିକ ବ୍ୟପାର ଦୁଇଗୁଣାରୁ ଅଧିକ ହୋଇ ୫୦୦ ବିଲିୟନ ଡଲାର ଯାଏଁ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହିତ ପିଏମ ମୋଦି ଆହୁରି କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କ ଲକ୍ଷ୍ୟ ମେକ୍ ଆମେରିକା ଗ୍ରେଟ୍ ଏଗେନ ସମ୍ପର୍କରେ ସମସ୍ତେ ଅବଗତ। ସେହିପରି ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଓ ସମୃଦ୍ଧ କରିବା ଲାଗି ଦ୍ରୁତ ଗତିରେ କାମ ଚାଲିଛି। ଆମେରିକା ଭାଷାରେ ଏହାର ଅର୍ଥ ହେଉଛି ମେକ୍ ଇଣ୍ଡିଆ ଗ୍ରେଟ୍ ଏଗେନ।