ନୂଆଦିଲ୍ଲୀ : ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ହିନ୍ଦୀ ସିନେମା ଜଗତର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲଙ୍କ ଆଜି ତାଙ୍କର ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି । ବଲିଉଡରେ ସେ ଅନେକ୍ ହିଟ୍ ଫିଲ୍ମରେ ସୁପରହିଟ ଗୀତ ଗାଇଛନ୍ତି । ସେ ତାଙ୍କ ମା’ଙ୍କ ଠାରୁ ସଙ୍ଗୀତର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ । ସେ ବଲିଉଡକୁ ଅନେକ ସୁପରହିଟ୍ ଗୀତ ଦେଇଛନ୍ତି । ଖୁବ୍ କମ୍ ବୟସରେ ଶ୍ରେୟା ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି । ସେ ଏପର୍ଯ୍ୟନ୍ତ ୨୦୦ ରୁ ଅଧିକ ଫିଲ୍ମରେ ନିଜର କଣ୍ଠଦାନ କରିଛନ୍ତି । ସଙ୍ଗୀତର ପ୍ରାରମ୍ଭିକ ଶିକ୍ଷା ସେ ତାଙ୍କ ମାଙ୍କଠାରୁ ପାଇଥିଲେ । ଫିଲ୍ମଫେୟାର ଆୱାର୍ଡ ବିଜେତା ଶ୍ରେୟାଙ୍କ ନାମରେ ଆଜିବି ୨୬ ଜୁନରେ ଆମେରିକାର ‘ଓହିଓ’ ରାଜ୍ୟରେ ‘ଶ୍ରେୟା ଘୋଷଲ ଡେ’ ପାଳନ କରାଯାଏ । ଶ୍ରେୟା ଚାରି ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ଟିଭି ଶୋ ‘ସାରେଗାମାପା’ରୁ ଶ୍ରେୟାଙ୍କୁ ଏକ ବଡ଼ ସୁଯୋଗ ମିଳିଥିଲା ଏବଂ ତାଙ୍କ ପାଇଁ ଆଗକୁ ରାସ୍ତା ଖୋଲିଯାଇଥିଲା । ଏହି ଶୋ’କୁ ଗାୟକ ସୋନୁ ନିଗମ୍ ହୋଷ୍ଟ କରିଥିବାବେଳେ କଲ୍ୟାଣ ଜୀ ଜଜ୍ କରୁଥିଲେ । ରିଆଲିଟି ଶୋ’ରେ ତାଙ୍କର ପ୍ରଦର୍ଶନ ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ୨୦୦୦ରେ ଭନସାଲୀ ତାଙ୍କ ଫିଲ୍ମ ‘ଦେବଦାସ’ରେ ଗୀତ ଗାଇବାକୁ ପ୍ରସ୍ତାବ ଦେଇଥିଲେ । ଏହି ଫିଲ୍ମରେ ଶ୍ରେୟା ଇସ୍ମାଇଲ ଦାରବାରଙ୍କ ସଂଗୀତ ନିର୍ଦ୍ଦେଶନାରେ ପାଞ୍ଚଟି ଗୀତ ଗାଇଥିଲେ । ଶ୍ରେୟାଙ୍କ ଡେବ୍ୟୁ ପାଇଁ ଶ୍ରେୟ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ମା ଲୀଲା ଭନସାଲୀଙ୍କୁ ଦିଆଯାଇଛି । କାରଣ ରିୟଲିଟି ଶୋ’ରେ ଲୀଲା ଭନସାଲୀ ଶ୍ରେୟାଙ୍କୁ ଦେଖିଥିଲେ । ସେ ହିଁ ସଞ୍ଜୟଙ୍କୁ ପରାମର୍ଶ ଦେଇଥିଲେ । ତାଙ୍କ ମା’ଙ୍କ ନିର୍ଦ୍ଦେଶରେ ଭନସାଲୀ ଶ୍ରେୟାଙ୍କୁ ଗୀତ ଗାଇବାକୁ ଡାକିଥିଲେ ଏବଂ ଫିଲ୍ମ ‘ଦେବଦାସ’ ରେ ଗାଇବାକୁ ସୁଯୋଗ ଦେଇଥିଲେ । ଏହି ଫିଲ୍ମର ଗୀତ ‘ବୈରୀ ପିୟା’ ସୁପରହିଟ୍ ହୋଇଥିଲା । ଲତା ମଙ୍ଗେଶକରଙ୍କୁ ତାଙ୍କ ପ୍ରେରଣା ବୋଲି ବିବେଚନା କରୁଥିବା ଶ୍ରେୟା ଘୋଷଲ ହିନ୍ଦୀ ବ୍ୟତୀତ ବଙ୍ଗଳା, ତାମିଲ, ତେଲୁଗୁ, କନ୍ନଡ, ମରାଠୀ ଏବଂ ଭୋଜପୁରୀରେ ମଧ୍ୟ ଗୀତ ଗାଇଛନ୍ତି ।