ବ୍ୟୁରୋ : ଦଳ ଛାଡିଲେ କଂଗ୍ରେସର ଟାଣୁଆ ନେତା ଗଣେଶ୍ବର ବେହେରା । ଗତ କିଛିଦିନ ହେବ ଶ୍ରୀଯୁକ୍ତ ବେହେରା ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଅପେକ୍ଷାର ଘଟିଛି ଅନ୍ତ । ଆଜି ଇସ୍ତଫା ଦେଇଛନ୍ତି କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା। ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ପଠାଇ ଦେଇଛନ୍ତି ।ଖାଲି ସେତିକି ନୁହେଁ ସେ ତାଙ୍କ ଇସ୍ତଫାପତ୍ରକୁ ତାଙ୍କ ‘X’ରେ ଶେଆର ମଧ୍ୟ କରିଛନ୍ତି। ସେଥିରେ ସେ ସ୍ପଷ୍ଟ କରିଛନ୍ତି, ମୁଁ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି। କଂଗ୍ରେସ ଦଳ ମୋତେ ବିଧାୟକ ତଥା ବିଭିନ୍ନ କର୍ମକର୍ତ୍ତା ଭାବେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି । କଂଗ୍ରେସରୁ ଇସ୍ତଫା ଦେବା ପରେ ଗଣେଶ୍ୱର ବେହେରା କହିଛନ୍ତି, ୨୪ ନିର୍ବାଚନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏ ନିର୍ବାଚନ ଜିତିବାକୁ ପଡ଼ିବ। ବିଧାନସଭା ଯିବା ଲକ୍ଷ୍ୟ ପୂରଣ ପାଇଁ ଏହି ନିଷ୍ପତ୍ତି ନେଇଛି । କଂଗ୍ରେସରେ ରହି ବିଧାନସଭା ଯିବା ନେଇ ଆଶଙ୍କା ସୃଷ୍ଟି ହେଲା । ସମସ୍ତଙ୍କ ପରାମର୍ଶ ଓ ବହୁ ଆଲୋଚନା ପରେ ଏହି ପଦକ୍ଷେପ ନେଲି । ଦଳ ଛାଡ଼ିଛି, ହେଲେ ପ୍ରସଙ୍ଗଠୁ ଦୂରେଇ ଯାଇନାହିଁ । ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ କଂଗ୍ରେସ ଟିକେଟରେ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୫ରୁ ୧୯୯୦ ଓ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ସେ ବିଧାନସଭାର ସଦସ୍ୟ ରହିଥିଲେ।