ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣା । ଜଣେ ମୃତକଙ୍କ ପରିଚୟରେ ସୃଷ୍ଟି ହୋଇଛି ବିରାଟ ଦ୍ୱନ୍ଦ୍ୱ । ମୃତ ଘୋଷିତ ଦିଲ୍ଲୀପ ସାମନ୍ତରାୟ ପ୍ରକୃତରେ ଜୀବିତ କି ନୁହେଁ , ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ ।
ଗତ ୩୦ ତାରିଖରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା, ତାଙ୍କ ପରିଚୟ ସେତେବେଳେ ଦିଲୀପ ସାମନ୍ତରାୟ ବୋଲି କୁହାଯାଇଥିଲା । ଦିଲୀପଙ୍କ ପରିବାର ଲୋକେ ଦଗ୍ଧ ମୃତଦେହକୁ ନେଇ ଅନ୍ତିମ ସଂସ୍କାର ମଧ୍ୟ କରିସାରିଛନ୍ତି।
ହେଲେ ଚାଞ୍ଚଲ୍ୟକର କଥା ହେଉଛି, ହାଇଟେକ ମେଡିକାଲର ଆଇସିୟୁରେ ଅନ୍ୟ ଜଣେ ଆହତଙ୍କୁ ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି ଭାବି ତାଙ୍କ ଚିକିତ୍ସା ଚାଲିଥିଲା, ସେ ଗତକାଲି ଭେଣ୍ଟିଲେଟରରୁ ବାହାରିବା ପରେ ନିଜ ନାଁ ଦିଲୀପ ସାମନ୍ତରାୟ ବୋଲି କହିଛନ୍ତି। ମନସ୍ତତ୍ତ୍ୱବିତ୍ ତାଙ୍କୁ ଦିଲୀପଙ୍କ ସମସ୍ତ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ ଏବଂ ସେ ସବୁ ଠିକ୍ ଠିକ୍ ଉତ୍ତର ଦେଇଥିଲେ । ଏନେଇ ହାଇଟେକ୍ ମେଡିକାଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ହାଇଟେକ୍ ହସ୍ପିଟାଲ ଆଗରେ ଏକାଠି ହୋଇଛନ୍ତି ଜ୍ୟୋତିରଞ୍ଜନଙ୍କ ପରିବାର । ଯାହାଙ୍କ ପାଇଁ ସେମାନେ ୮ ଦିନ ହେଲା ହସ୍ପିଟାଲରେ ପଡି ରହିଥିଲେ, କେବେ ଭେଣ୍ଟିିଲେଟରରୁ ବାହାରିବେ, ସୁସ୍ଥ ହୋଇ ବାହାରକୁ ଆସିବେ ଚାହିଁ ରହିଥିଲେ । ସେହି ଜ୍ୟୋତିରଞ୍ଜନ ଯେତେବେଳେ ମୃତ ବୋଲି ଶୁଣୁଛନ୍ତି, ସେମାନଙ୍କ ପାଦ ତଳୁ ମାଟି ଖସିଯାଇଛି । ଦୁଃଖ ଓ କ୍ଷୋଭର ସହ ଦାବି କରୁଛନ୍ତି, ଆମକୁ ଜ୍ୟୋତି ଫେରାଇ ଦିଅନ୍ତୁ ନହେଲେ ତାଙ୍କ ମର ଶରୀର ଅନ୍ତିମ ସଂସ୍କାର ପାଇଁ ଦିଆଯାଉ । ହେଲେ ଏପଟେ ଦିଲ୍ଲୀପ ବୋଲି ଯାହାଙ୍କ ମୃତଦେହର ଅନ୍ତିମ ସଂସ୍କାର ସରିଛି, ସେ ଜ୍ୟୋତି ବୋଲି ଧୀରେ ଧୀରେ ସ୍ପଷ୍ଟ ହେଉଛି । ତେଣୁ ଜ୍ୟୋତିଙ୍କ ମର ଶରୀର ଆଉ ତାଙ୍କ ପରିବାରକୁ ହସ୍ତାନ୍ତର କରିବା ସମ୍ଭବ ନୁହେଁ । ହେଲେ ପରିବାର କିନ୍ତୁ ମୃତଦେହ ପାଇଁ ଅଡି ବସିଛି । ଜ୍ୟୋତିଙ୍କ ପତ୍ନୀ ହସ୍ପିଟାଲ ଆଗରେ କାନ୍ଦି କାନ୍ଦୀ ନିଜ ସ୍ୱାମୀ କୁଆଡେ ଗଲେ ବୋଲି ବାରମ୍ବାର ପଚାରୁଥିବା ଶୁଣିବାକୁ ମିଳୁଛି ।