ଏନ୍ଏନ୍ଏସ ଓଡିଆ, ଗ୍ରୀସ: ଗ୍ରୀସର ଜଙ୍ଗଲରେ ଲାଗିଛି ନିଆଁ । ଭୟାବହ ଅଗ୍ନିକାଣ୍ଡରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସମଗ୍ର ଗ୍ରୀସ୍ର ବାଦଲରେ ଘୋଟି ଯାଇଛି କଳା ଧୂଆଁ । ଅଗ୍ନିକାଣ୍ଡ ଏତେ ଭୟଙ୍କର ରହିଛି ଯେ, ପାଖପାଖି ଜନ ବହୁଳ ଅଞ୍ଚଳକୁ ନିଆଁ ଗ୍ରାସି ସାରିଛି । ଫଳରେ ଗ୍ରୀସର କୋର୍ଫୁ୍ୟ ରୋଡ୍ସ ଦ୍ୱୀପରେ ଜରୁରୀ ଅବସ୍ଥା ଲାଗୁ କରାଯାଇଛି । ଗ୍ରୀସ ରୋଡ୍ସର ଅଧିକାରୀ କହିଛନ୍ତି ଯେ, ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ବିପଦରେ ଥିବା ୩୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥନାନ୍ତର କରାଯାଇଛି । ଏଥିସହ କୋର୍ଫୁ୍ୟ ଦ୍ୱୀପରୁ ୨୫୦୦ ପର୍ଯ୍ୟଟକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । କୋର୍ଫୁ୍ୟ ଦ୍ୱୀପର ଉତ୍ତର ଦିଗକୁ ନିଆଁ ବ୍ୟାପିବାରେ ଲାଗିଛି । ତେବେ ଏ ପର୍ଯ୍ୟନ୍ତ କୌଣସି ହୋଟେଲ କିମ୍ବା ଘର ଏଥିରେ କ୍ଷତିଗ୍ରସ୍ତ ହୋଇ ନାହିଁ । କୋର୍ଫୁ୍ୟ ଗ୍ରୀସର ନୂଆ ଦ୍ୱୀପ ଯେଉଁଠି ଉଦ୍ଧାର କାର୍ଯ୍ୟ ଚଲାଇବାକୁ ଆଦେଶ ଦିଆଯାଇଛି । ସେଠାକାର ଅବସ୍ଥା ବହୁତ ଗମ୍ଭୀର ରହିଛି । ଅନ୍ୟପକ୍ଷେ ରୋଡ୍ସ ଗ୍ରୀସର ସବୁଠୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ ।
ନିଆଁ ୭୯ଟି ସ୍ଥାନରେ ଲାଗିଛି ଏବଂ ଏହାକୁ ଆୟତ୍ତ କରିବା ପାଇଁ ୫ ହେଲିକପ୍ଟର ଏବଂ ୧୭୪ ଫାୟର ଫାଇଟର୍ସଙ୍କୁ ନିୟୋଜିତ କରାଯାଇଛି । ଅଗ୍ନିକାଣ୍ଡ ରୋଡ୍ସ ଦ୍ୱୀପ ସହ କୋର୍ଫୁ୍ୟ ଦ୍ୱୀପକୁ ମଧ୍ୟ ବ୍ୟାପି ଯାଇଛି । ମଧ୍ୟ ଗ୍ରୀସର ପୂର୍ବତଟରେ ସ୍ଥିତ ଦ୍ୱିତୀୟ ସବୁଠୁ ବଡ ଦ୍ୱୀପ ଇଭିଆରେ ମଧ୍ୟ ନିଆଁ ଲାଗିଛି । ରୋଡ୍ସରେ ଗୋଟିଏ ସପ୍ତାହ ହେବ ନିଆଁ ଲାଗି ରହିଛି । ଘଣ୍ଟା ପ୍ରତି ୪୯ କିମି ବେଗରେ ପବନ ବହୁଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡିଛି । ଗ୍ରୀକ ପୁଲିସର ମୁଖପାତ୍ର କନଷ୍ଟେଟିଆ ଡିମୋଗ୍ଲିଲଡୋ କହିଛନ୍ତି, ଏହା ଗ୍ରୀସରେ ଏ ପର୍ଯ୍ୟନ୍ତ ସବୁଠୁ ବଡ ଉଦ୍ଧାରକାର୍ଯ୍ୟ । ପୁଲିସ କହିଛି, ୧୬ ହଜାର ଲୋକଙ୍କୁ ସ୍ଥଳଭାଗରେ ଏବଂ ୩ ହଜାର ଲୋକଙ୍କୁ ସମୁଦ୍ର ରାସ୍ତା ଦେଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ବାକି ଲୋକ ସଡକ ମାର୍ଗ ଦେଇ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି ।