କୁହା୍ଯାଏ ହସିବା ସ୍ୱାସ୍ଥ୍ୟ ପକ୍ଷ ହିତକର ,ହସିଲେ ରୋଗ ମଧ୍ୟ ଭଲ ହୋଇଯାଏ ,ମନ କୁ ଶାନ୍ତି ମିଳେ , ଯଦି ଆପଣ ସକାଳୁ ଉଠନ୍ତି, ଘରୁ ବାହାରକୁ ଯାଆନ୍ତୁ ଏବଂ କିଛି ହସୁଥିବା ଚେହେରା ଦେଖନ୍ତି, ଦିନଟି ଭଲ ହୋଇଯାଇଥାଏ। ହସକୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ଭାବରେ ବିବେଚନା କରାଯାଇଥାଏ। କିନ୍ତୁ ଯଦି ସରକାର ପ୍ରତି ଦିନ ଥରେ ହସିବାକୁ ବାଧ୍ୟ ବୋଲି ନିୟମ ଜାରି କରନ୍ତି ତେବେ ଏହା ହୁଏତ ଆଶ୍ଚର୍ୟ୍ୟ ଜନକ ମନେ ହେବ। ବାସ୍ତବରେ, ଏକ ଦେଶରେ ସରକାରଙ୍କ ପକ୍ଷରୁ ଏପରି ଏକ ଅଜବ ନିୟମ ଲାଗୁ କରାଯାଇଛି। ଏହି ନିୟମ ଅନୁଯାୟୀ ନାଗରିକମାନଙ୍କୁ ଦିନକୁ ଅତି କମରେ ଥରେ ହସିବାକୁ ପଡିବ।
ଜାପାନର ୟାମାଗାଟା ରାଜ୍ୟରେ ଶୁକ୍ରବାର ଦିନ ଏକ ନିୟମ ପ୍ରଣୟନ କରାଯାଇଛି।
ଏକ ଗବେଷଣାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଯାହା ଏକ ସ୍ଥାନୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିଲା । ଏହା ଦେଖା ଯାଇଥିଲା ଯେ ନିୟମିତ ହସିବା ଦ୍ୱାରା ହୃଦଘାତର ଆଶଙ୍କା କମିଯାଏ ଏବଂ ଦୀର୍ଘ ଜୀବନ ବଞ୍ଚିବାରେ ଏହା ସାହାଯ୍ୟ କରିଥାଏ। ନୂତନ ନିୟମ ଅନୁଯାୟୀ, ଲୋକଙ୍କୁ ପ୍ରତିଦିନ ଅତି କମରେ ଥରେ ହସିବାକୁ ପଡିବ। ଏହା ବ୍ୟତୀତ ବ୍ୟବସାୟୀମାନେ ଏକ ପରିବେଶ ସୃଷ୍ଟି କରିବା ଉଚିତ ଯାହା ହସ ଏବଂ ସୁଖରେ ପରିପୂର୍ଣ୍ଣ ହେବା ଜରୁରୀ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରତ୍ୟେକ ମାସର ୮ ତାରିଖ ଦିନ ହସ ଦିବସ ପାଳନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।
କଞ୍ଜରଭେଟିବ୍ ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟିର ସଦସ୍ୟମାନେ ଏହି ଆଇନକୁ ପାରିତ କରି ପ୍ରଣୟନ କରିଛନ୍ତି। ବିରୋଧୀ ଦଳର ନେତାମାନେ ଏହି ଆଇନକୁ ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ଆଇନ ମୌଳିକ ମାନବିକ ଅଧିକାରର ଉଲ୍ଲଂଘନ କରିବାକୁ ଯାଉଛି।
ଜାପାନ କମ୍ୟୁନିଷ୍ଟ ପାର୍ଟିର ତରୁ ସେକି କହିଛନ୍ତି ହସିବା କିମ୍ବା ହସାଇବା ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର ଯାହା ସମ୍ବିଧାନ ଦ୍ୱାରା ପ୍ରଦାନ କରାଯାଇଛି। କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେଉଁମାନେ କିଛି ରୋଗ ଯୋଗୁ ହସି ପାରିବେ ନାହିଁ ସେମାନଙ୍କୁ ପ୍ରତି ଏହି ନୂଆ ଆଇନ ଭେଦଭାବ କରୁଛି। କିନ୍ତୁ, କିଛି ସାମ୍ବିଧାନିକ ବିଶେଷଜ୍ଞ ଏହାକୁ ସମର୍ଥନ କରିଛନ୍ତି।
୨୦୧୯ରେ ୟାମାଗାଟା ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିଲା। ଏହା ଦେଖାଯାଇଥିଲା ସପ୍ତାହରେ ଅତି କମରେ ଥରେ ହସିଥିବା ଲୋକଙ୍କର ହୃଦ୍ରୋଗ ହେବାର ସମ୍ଭାବନା କମ୍ ଥାଏ। ଏହି ଅଧ୍ୟୟନ ପାଇଁ, ଗବେଷକମାନେ ସର୍ଭେରେ ୪୦ ବର୍ଷ କିମ୍ବା ତା’ଠାରୁ କମ୍ ବୟସର ୧୭,୧୫୨ ଲୋକଙ୍କୁ ଅନ୍ତର୍ଭୁକ୍ତ କରିଥିଲେ।