ନୂଆଦିଲ୍ଲୀ : ଉତ୍କଳ କେଶରୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ଲିଖିତ ‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ସଂସ୍କରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉନ୍ମୋଚନ କରିବେ । ପ୍ରଖ୍ୟାତ ହିନ୍ଦୀ ସାହିତ୍ୟିକ ଶଙ୍କରଲାଲ ପୁରୋହିତ ଓଡ଼ିଶା ଇତିହାସ ପୁସ୍ତକର ହିନ୍ଦୀ ଅନୁବାଦ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଟକ ସାଂସଦ ଭର୍ତ୍ତୃହରି ମହତାବ ଏହି ଅବସରରେ ଉପସ୍ଥିତ ରହିବେ। ହରେକୃଷ୍ଣ ମହତାବ ଫାଉଣ୍ଡେସନ ପକ୍ଷରୁ ଏହି ହିନ୍ଦୀ ସଂସ୍କରଣ ଉନ୍ମୋଚନ କାର୍ୟ୍ୟକ୍ରମ ଆୟୋଜନ କରାଯିବ। ଡ. ହରେକୃଷ୍ଣ ମହତାବ ଭାରତୀୟ ସ୍ବାଧୀନତା ସଂଗ୍ରାମର ଜଣେ ମହାନ ବ୍ୟକ୍ତିତ୍ବ ଥିଲେ। ସେ ୧୯୪୬ରୁ ୧୯୫୦ ଏବଂ ୧୯୫୬ରୁ ୧୯୬୧ ପର୍ୟ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ୧୯୪୨ରୁ ୧୯୪୫ ପର୍ୟ୍ୟନ୍ତ ଦୁଇ ବର୍ଷରୁ ଅଧିକ ସମୟ ଧରି ଅହମ୍ମଦନଗର ଦୁର୍ଗ ଜେଲରେ ଥିବା ସମୟରେ ‘ଓଡ଼ିଶା ଇତିହାସ’ ପୁସ୍ତକ ରଚନା କରିଥିଲେ।