<h3>ଆଜିର ବ୍ୟସ୍ତବହୁଳ ଦୁନିଆରେ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆସିବା ସଙ୍ଗେ ସଙ୍ଗେ ଆମ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ ଆସିଛି । ଆମେ ଘରର ରନ୍ଧା ଖାଦ୍ୟକୁ ଛାଡି ବାହାରର ଜଙ୍କ ଫୁଡ୍ ଖାଇବାକୁ ଅଧିକ ଭଲ ପାଉଛୁ । କିନ୍ତୁ ଏହା ଯେ, ଆମ ଶରୀରକୁ ଅସୁସ୍ଥ କରିବା ସହ ମୃତୁ୍ୟର କାରଣ ମଧ୍ୟ ପାଲଟିଥାଏ ତାହା ଆମେ ଭୁଲିଯାଇଥାଉ । ତେବେ ନିକଟରେ ଏମିତି ହିଁ ଏକ ଘଟଣା ମୁମ୍ବାଇର ମହାରାଷ୍ଟ୍ର ନଗରରେ ଦେଖିବାକୁ ମିଳିଛି । ୧୯ ବର୍ଷର ଜଣେ ଯୁବକ ସ୍ୱରମା ରୋଲ ଖାଇ ପେଟ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ୫ଜଣ ବ୍ୟକ୍ତି ଫୁଡପଏଜନିଂରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ମୃତ୍ୟୁବରଣ କରିଥିବା ଯୁବକ ଜଣକ ହେଲେ ପ୍ରଥମେଶ ଭୋକସେ । କୁହାଯାଉଛି ଯେ, ପ୍ରଥମେଶ ମେ ୩ ତାରିଖ ଦିନ ସନ୍ଧ୍ୟା ୬ ଘଟିକା ସମୟରେ ମୁମ୍ବାଇସ୍ଥିତ ମହାରାଷ୍ଟ୍ର ନଗରରେ ସ୍ୱରମା ଖାଇଥିଲେ । ମେ ୪ ତାରିଖ ସକାଳେ ଶୋଇ କି ଉଠିଲାବେଳକୁ ତାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହେବା ସଙ୍ଗେ ବାନ୍ତି ହୋଇଥିଲା । ତେଣୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । କିନ୍ତୁ ଏଥିରେ କିଛି ସମୟ ପାଇଁ ଯନ୍ତ୍ରଣାରୁ ଆଶ୍ୱସ୍ତି ପାଇଥିଲେ ମଧ୍ୟ ତାଙ୍କୁ ପୁନର୍ବାର ଯନ୍ତ୍ରଣା ଅନୁଭୂତ ହୋଇଥିଲା । ତେଣୁ ପରିବାରଲୋକେ ମେ ୫ ତାରିଖ ଦିନ ପ୍ରଥମେଶଙ୍କୁ କେଇଏମ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ଡାକ୍ତର ସେଠାରେ ତାଙ୍କର ଚିକିତ୍ସା କରି ତାଙ୍କୁ ଘରକୁ ପଠାଇଦେଇଥିଲେ । ତଥାପି ତାଙ୍କର ଯନ୍ତ୍ରଣା ନକମିବାରୁ ତାଙ୍କୁ ପୁନର୍ବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଶେଷରେ ୭ ତାରିଖ ଦିନ ପ୍ରଥମେଶ ଦିନ ୧୦ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତେବେ ସ୍ୱରମାରେ ଖରାପ ମାଂସ ଥିବା ହେତୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହି ଘଟଣାରେ ମୁମ୍ବାଇ ପୋଲିସ ଫାଷ୍ଟଫୁଡ ବ୍ୟବସାୟୀ ଆନନ୍ଦ କାମ୍ବେଲ ଏବଂ ମହମ୍ମଦ ଅହମଦଙ୍କୁ ଗିରଫ କରି ଦୁହିଁଙ୍କ ନାଁରେ ଏକ ମାମଲା ରୁଜୁ କରି ପଚରାଉଚରା କରିଛି ।</h3>