ଆଜିଠୁ ରାଜ୍ୟରେ ପୁଣି ଚାଲିବ ଘରୋଇ ବସ୍ । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ । ଏନେଇ ପ୍ରେସମିଟ୍ କରି ସଂଘ ସୂଚନା ଦେଇଛି । ରାଜ୍ୟ ସରକାର ଏବଂ ପରିବହନ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ତେବେ ରାଜ୍ୟ ସରକାରଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ଧର୍ମଘଟକୁ ସ୍ଥଗିତ ରଖାଯାଇଛି । ଆଜି ରାତିରୁ ରାଜ୍ୟରେ ବସ୍ ଚଳାଚଳ ହେବ । ଆସନ୍ତାକାଲିଠୁ ସମ୍ପୂର୍ଣ୍ଣ ଭାବେ ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ସଂଘ ସୂଚନା ଦେଇଛି
ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ସରକାରୀ ବାସଭବନରେ ଆଜି ସନ୍ଧ୍ୟାରେ ପରିବହନ କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଘରୋଇ ବସ୍ ମାଲିକ ସଂଘର ପ୍ରତିନିଧିମାନଙ୍କ ସହ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା । ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା ସଫଳ ହୋଇଛି । ସେମାନେ ସରକାରଙ୍କୁ ସହଯୋଗ କରିବେ । ୨୬ତାରିଖରେ ପୁଣିଥରେ ଉଚ୍ଚସ୍ତରୀୟ ବୈଠକରେ ସଂଘର ବିଭିନ୍ନ ଦାବି ଉପରେ ବିସ୍ତୃତ ଆଲୋଚନା କରାଯିବ । ଏବେ ଦଶହରା ପୂଜାବେଳେ ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଧର୍ମଘଟରୁ ଓହରିବା ପାଇଁ ଘରୋଇ ବସ୍ ମାଲିକ ସଂଘକୁ ସେ ଅନୁରୋଧ କରିଛନ୍ତି ।