ସରକାରୀ ରେକର୍ଡରେ ରହିଛି ଗାଁ । ହେଲେ ଗାଁରେ ରହୁ ନାହାନ୍ତି ଲୋକ କି ନାହିଁ ଗୋଟିଏ ହେଲେ ଘର । ଗାଁର ନାଁ ରହିଛି ପଲସା ଓ ମାଛ ଗାଁ । ଏଠି ସବୁଆଡେ ଖାଲି ବିଲ, ନାଳ ଓ ପୋଖରୀ । ଘର ଟିଏ ବି ନାହିଁ କି ଲୋକ ନାହାନ୍ତି । କିନ୍ତୁ ସରକାରୀ ରେକର୍ଡରେ ରହିଛି ଏସବୁ ଗାଁର ନା ।
କହିବାକୁ ଗଲେ ରାଜସ୍ୱ ବିଭାଗର ଏପରି ତ୍ରୁଟିକୁ ଧରିଛି ସୁଭଦ୍ରା ଯୋଜନା । ସୁଭଦ୍ରା ପାଇଁ ରାଜ୍ୟର ୫୧ ହଜାର ୩୪୯ ଗାଁ ମଧ୍ୟରୁ ୩ ହଜାର ୮୧ ଗାଁରୁ କେହି ଆବେଦନ କରି ନଥିବା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଥିଲା । ବ୍ୟାପକ ପ୍ରଚାର ସତ୍ତ୍ବେ ଏତେ ଗାଁରୁ ସୁଭଦ୍ରା ପାଇଁ ଆବେଦନ ନଆସିବା ନେଇ ବାଲେଶ୍ବର ଜିଲ୍ଲାରେ ସ୍ଥିତି ପରଖିଥିଲେ ସରକାର । ଆଉ ଏହି ସମୟରେ ଫିଟିଛି ଏହି ସବୁ ଗାଁର ଗୁମର । ବାଲେଶ୍ଵର ଜିଲ୍ଲାର ୨୨୯ ଗାଁର କୌଣସି ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିନଥିଲେ । ଆଖପାଖ ଗାଁର ଲୋକଙ୍କୁ ପଚାରିବାରୁ ଜଣାପଡ଼ିଛି ଯେ, ସରକାରୀ ରେକର୍ଡରେ ଏସବୁ ଗାଁ ବାବଦରେ ଉଲ୍ଲେଖ ଅଛି । ପ୍ରକୃତରେ କୌଣସି ଗାଁ ନାହିଁ କି କେହି ସେଠି କେହି ଲୋକ ରହୁନାହାନ୍ତି ।
ଲୋକଙ୍କ କହିବା କଥା, ଚକବନ୍ଦୀ ସମୟରୁ ରେକର୍ଡରେ ଭୁଲରେ ଏସବୁ ଗାଁର ନାଁ ଉଲ୍ଲେଖ ରହିଛି। ରାଜସ୍ବ ବିଭାଗର ତତ୍କାଳୀନ ଅଧିକାରୀ କରିଥିବା ତ୍ରୁଟିକୁ ଏପର୍ୟ୍ୟନ୍ତ ସଂଶୋଧନ କରାଯାଇନାହିଁ । ଘର ନଥିବାରୁ ଓ ଲୋକ ରହୁନଥିବା ଏସବୁ ଅଞ୍ଚଳକୁ ବେଛପରି ଗାଁ କୁହାଯାଏ । ସୁଭଦ୍ରା ଯୋଜନା ପାଇଁ କେହି ଆବେଦନ କରିନଥିବା ଗାଁ ତାଲିକାରେ ଏସବୁ ଗାଁ ରହିଛି । ଆଉ ଲୋକ ନଥବାରୁ ଆବେଦନ କରିବ କିଏ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଲୋକେ।
ଦୀର୍ଘବର୍ଷ ଧରି ବାଲେଶ୍ବର ଜିଲ୍ଲାରେ ରାଜସ୍ବ ବିଭାଗ ରେକର୍ଡରେ ଗାଁର ନାଁ ନେଇ ଏଭଳି ତ୍ରୁଟି ଏବେ ସୁଭଦ୍ରା ଯୋଜନା ଆବେଦନପତ୍ର ଯାଞ୍ଚ ବେଳେ ସାମ୍ନାକୁ ଆସିଛି । କେବଳ ବାଲେଶ୍ବର ଜିଲ୍ଲା ନୁହେଁ, ରାଜ୍ୟର ୩ହଜାର ୮୧ ଗାଁରୁ ସୁଭଦ୍ରା ପାଇଁ ଆବେଦନ କରାନଯିବା ପଛରେ ଏଭଳି ତ୍ରୁଟି ନାହିଁ ତ ?