ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୧୫.୦୩): ଭୋପାଳ ଗ୍ୟାସ୍ ପୀଡ଼ିତଙ୍କୁ ୟୁନିୟନ୍ କାର୍ବାଇଡ୍ ଏବଂ ତା’ ସହାୟକ କମ୍ପାନୀ ପକ୍ଷରୁ ଅତିରିକ୍ତ କ୍ଷତିପୂରଣ ପ୍ରଦାନ ପାଇଁ କେନ୍ଦ୍ର ପକ୍ଷରୁ କରାଯାଇଥିବା ପିଟିସନ୍କୁ ସୁପ୍ରିମ୍କୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି । ଗ୍ୟାସ୍ ପୀଡ଼ିତଙ୍କୁ ଅତିରିକ୍ତ ୭୮୦୦ କୋଟି ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ୨୦୧୦ରେ କେନ୍ଦ୍ର ପକ୍ଷରୁ ଦାଖଲ କ୍ର୍ୟୁରେଟିଭ୍ ପିଟିସନ୍ରେ ସୁପ୍ରିମ୍କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ସରକାରୀ ରେକର୍ଡ ଅନୁସାରେ ୧୯୮୪ ଡିସେମ୍ବର ୨-୩ ରାତିରେ ହୋଇଥିବା ଏହି ଦୁର୍ଘଟଣାରେ ୩୭୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ଗ୍ୟାସ୍ କାଣ୍ଡ ପରେ ୟୁନିୟନ୍ କାର୍ବାଇଡ୍ କର୍ପୋରେସନ୍ ପୀଡ଼ିତଙ୍କୁ ୭୧୫ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିଥିଲା । ୟୁନିୟନ୍ କାର୍ବାଇଡ୍କୁ କିଣିଥିବା ଡାଓ କେମିକାଲ୍ସଠାରୁ କେନ୍ଦ୍ର ସରକାର ଏହି ଅତିରିକ୍ତ କ୍ଷତିପୂରଣ ଦାବି କରିଥିଲେ । କେନ୍ଦ୍ରର କ୍ୟୁରେଟିଭ୍ ପିଟିସନ୍ ଉପରେ ଶୁଣାଣି କରି କୋର୍ଟ ଚଳିତ ବର୍ଷ ଜାନୁଆରୀ ୧୨ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ରାୟ ଶୁଣାଇ ମଙ୍ଗଳବାର ଜଷ୍ଟିସ୍ ସଞ୍ଜୟ କିଶନ୍ କୌଲ, ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ଅଭୟ ଏସ୍ ଓକ୍, ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ଜେକେ ମାହେଶ୍ୱରୀଙ୍କ ବେଞ୍ଚ୍ କହିଛନ୍ତି କେସ୍କୁ ପୁଣିଥରେ ଖୋଲିଲେ ପୀଡ଼ିତଙ୍କ ଅସୁବିଧା ପାଇବ ।
ପୀଡ଼ିତଙ୍କୁ କ୍ଷତି ତୁଳନାେ ୬ ଗୁଣା ଅଧିକ କ୍ଷତିପୂରଣ ପ୍ରଦାନ କରାଯାଇସାରିଛି । ତେଣୁ ୟୁନିୟନ୍୍ କାର୍ବାଇଡ୍ କର୍ପୋରେସନ୍ ଉପରେ ଆଉ ଅଧିକ ବୋଝ ପକାଯାଇ ପାରିବନାହିଁ । କୋର୍ଟ କହିଛନ୍ତି, ୨୦୦୪ରେ ସମାପ୍ତ ହୋଇଥିବା କାର୍ଯ୍ୟାନୁଷ୍ଠାନରେ କ୍ଷତିପୂରଣ ରାଶି ବହୁ ଅଧିକ ବୋଲି କୁହାଯାଇଥିଲା । ଅର୍ଥାତ୍ ଦାବିଦାରଙ୍କୁ ଉଚିତ କ୍ଷତିପୂରଣଠାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି । ଦୁର୍ଘଟଣାର ଦୁଇ ଦଶକ ପର୍ଯ୍ୟନ୍ତ ସରକାର ଏହା ଉପରେ ଧ୍ୟାନ ନଦେବା ନିରାଶାଜନକ ଏବଂ ଏବେ ଏହି ପ୍ରସଙ୍ଗକୁ ଉଠାଇବାର କୌଣସି ଔଚିତ୍ୟ ନାହିଁ ବୋଲି କୋର୍ଟ କହିଛନ୍ତି । ସେହିପରି ପୂର୍ବରୁ ଦିଆଯାଇଥିବା ଆଫିଡେଭିଟ୍ ଅନୁସାରେ ଗ୍ୟାସ୍ ପୀଡ଼ିତଙ୍କ ପାଇଁ ବୀମା ପଲିସି ପ୍ରସ୍ତୁତ କରାଯାଇ ନଥିବାରୁ କୋର୍ଟ କେନ୍ଦ୍ରକୁ ଭର୍ତ୍ସନା କରିବା ସହିତ ଏହା ଘୋର ଅବହେଳା ବୋଲି କହିଛନ୍ତି । ଜାନୁଆରୀରେ ମାମଲାର ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ପିଟିସନ୍ରେ କୁହାଯାଇଥିଲା ଯେ ସୁପ୍ରିମ୍କୋର୍ଟ ୧୯୮୯ରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ପୀଡ଼ିତଙ୍କୁ ନଜରରେ ରଖି କ୍ଷତିପୂରଣ ନିର୍ଦ୍ଧାରିତ କରିଥିଲେ । ମାତ୍ର ସମୟ ଗଡ଼ିଚାଲିବା ସହିତ ପୀଡ଼ିତଙ୍କ ସଂଖ୍ୟାରେ ମଧ୍ୟ ଅଧିକ ହୋଇଛି । ତେଣୁ କ୍ଷତିପୂରଣ ମଧ୍ୟ ବୃଦ୍ଧି ପାଇବା ଉଚିତ ।