ସୁନ୍ଦରଗଡ଼ ପ୍ରେସ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ସିହ୍ନା ଆଉ ନାହାଁନ୍ତି । ରାଉରକେଲା ସ୍ଥିତ ଆପୋଲୋ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାପଡିଛି । କିଛି ଦିନ ପୂର୍ବେ ଉଚ୍ଚ ରକ୍ତଚାପ ଯୋଗୁଁ ମସ୍ତିଷ୍କରେ ଶକ୍ତ ଆଘାତ ଲାଗିଥିଲା । ଏଥିରେ ସେ ପକ୍ଷାଘାତ ସ୍ଥିତିକୁ ଚାଲିଯାଇଥିଲେ । ପରିବାର ଲୋକେ ତୁରନ୍ତ ରାଉରକେଲା ଆପୋଲୋ ହସ୍ପିଟାଲକୁ ଆଣିବାରୁ ସେଠାରେ ସାମାନ୍ୟ ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ ଘରକୁ ବାହୁଡ଼ି ଆସିଥିଲେ । ତେବେ ବୁଧବାର ପୁନର୍ବାର ଅସୁସ୍ଥ ହେବାରୁ ପରିବାର ଲୋକେ ପୁନଶ୍ଚ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ହୃଦ ରୋଗରେ ବୁଧବାର ରାତିରେ ତାଙ୍କର ପରଲୋକ ହୋଇଯାଇଥିଲା । ତାଙ୍କର ବିୟୋଗରେ ସୁନ୍ଦରଗଡ଼ ପ୍ରେସ କ୍ଲବ ସମେତ ଜିଲ୍ଲା ଗଣମାଧ୍ୟମଜଗତ ସଂପୂର୍ଣ୍ଣ ଶୋକାଭିଭୂତ ହୋଇପଡିଛି । ବିହାର ଅଞ୍ଚଳର ମୂଳ ବାସିନ୍ଦା ସୁନ୍ଦରଗଡ଼କୁ ଆସି ୧୯୯୬ ମସିହାରୁ ସାମ୍ବାଦିକ ଭାବେ ଗଣମାଧ୍ୟମରେ ଯୋଡ଼ି ହୋଇଥିଲେ । ଆଜି ସୁନ୍ଦରଗଡ଼ ପ୍ରେସ କ୍ଲବରେ ବହୁ ସାମ୍ବାଦିକ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିଥିଲେ । ସେ ବିଭିନ୍ନ ଗଣମାଧ୍ୟମରେ ଜଡ଼ିତ ହୋଇଥିଲେ । ପରିଶେଷରେ ଶୋକାକୁଳ ପରିବେଶରେ ଯାଇ ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ସିହ୍ନା । ତାଙ୍କର ଦିବନ୍ତତ ଆତ୍ମାକୁ ଭଗବାନ ଶାନ୍ତି ପ୍ରଦାନ କରନ୍ତୁ ।