ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ଆଗକୁ ଧନତେରସ, ଦୀପାବଳି ଏବଂ ବିବାହ ଋତୁ । ଏବେଠୁ ହୁ ହୁ ହୋଇ ବଢିଲାଣି ସୁନା ଦର । ଗୋଟିଏ ଦିନରେ 2 ହଜାର ଟଙ୍କା ବଢିଲା ସୁନା ଦର । ଆଗକୁ ସୁନା ଭରି ୮୦ ହଜାର ଛୁଇଁ ପାରେ । ଯାହାକୁ ନେଇ ଗ୍ରାହକଙ୍କ ମୁଣ୍ଡରେ ପଡିଛି ଚଡକ । ରାଜଧାନୀ ଭୁବନେଶ୍ୱରରେ ବର୍ଦ୍ଧିତ ସୁନା ଦରକୁ ନେଇ ଗ୍ରାହକ ଚିନ୍ତିତ । ଦେଶର ରାଜଧାନୀ ଦିଲ୍ଲୀଠାରୁ ମଧ୍ୟ ରାଜ୍ୟ ରାଜଧାନୀରେ ସୁନା ଦର ଅଧିକ ରହିଛି । ସୁନା କିଣିବାକୁ ଲୋକେ ଆଉ ମନ ବଳୁନଥିବା ବେଳେ, ବର୍ତ୍ତମାନର ସୁନା ଦର ପକେଟକୁ ବାଧୁଛି ବୋଲି କହିଛନ୍ତି । ଦିଲ୍ଲୀରେ 10 ଗ୍ରାମର 24 କ୍ୟାରେଟ ସୁନା ଦର 78 ହଜାର 260 ରହିଥିବା ବେଳେ 22 କ୍ୟାରେଟ 72 ହଜାର 750 ରହିଛି । ଏପଟେ ଭୁବନେଶ୍ୱର ରେ 10 ଗ୍ରାମର 24 କ୍ୟାରେଟ ସୁନା ଦର 78 ହଜାର 980 ରହିଥିବା ବେଳେ 22 କ୍ୟାରେଟ 73 ହଜାର 400 ଟଙ୍କା ରହିଛି । ଦୁଇଦିନ ପୂର୍ବେ 10 ଗ୍ରାମର 24 କ୍ୟାରେଟ୍ ସୁନା ଦର 77,890 ଟଙ୍କା ରହିଥିବା ବେଳେ ଆଜି ତାହା 78,980 ରେ ପହଞ୍ଚିଛି । ସେହିପରି 10 ଗ୍ରାମ 22 କ୍ୟାରେଟ୍ ସୁନାର ମୂଲ୍ୟ 71,400 ଟଙ୍କା ରହିଥିବା ବେଳେ ଆଜି ତାହା 73,400 ଟଙ୍କା ରହିଛି । ଯଦି ଦେଖାଯାଏ ଦିନକରେ 22 କ୍ୟାରେଟ ସୁନା ଦର 2 ହଜାର ଟଙ୍କା ଓ 24 କ୍ୟାରେଟ ଦର 11 ଶହ ଟଙ୍କା ବୃଦ୍ଧି ହୋଇଛି । ଦର କମିବା ବଦଳରେ ବଢ଼ି ବଢ଼ି ଚାଲି ଥିବାରୁ ଗ୍ରାହକ କିପରି ସୁନା କିଣିବେ ତାହାକୁ ନେଇ ଚିନ୍ତାରେ । ଆଉ ଏଭଳି ହେଲେ ଏହି ସପ୍ତାହରେ 80 ହଜାର ଛୁଇଁପାରେ ସୁନା ଦର ବୋଲି ମତ ରଖିଛନ୍ତି ମାଲାବାର ଗୋଲ୍ଡ ଆଣ୍ଡ ଜୁଏଲର୍ସର ମାର୍କେଟିଂ ମ୍ୟାନେଜର ସିଦ୍ଧେଶ୍ୱର ରଥ । ଯାହା ଆଗକୁ ଆସୁଥିବା ଧନତେରସ, ଦୀପାବଳୀ ଏବଂ ବିବାହ ଋତୁରେ ଲୋକଙ୍କ ଉପରେ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି । ସୁନା ଦରରେ ଅହେତୁକ ବୃଦ୍ଧି ଗ୍ରାହକଙ୍କ ଉପରେ ପ୍ରଭାବ ପକାଇଛି । ଗ୍ରାହକଙ୍କ କହିବା ମୁତାବକ ବିବାହ ,ବ୍ରତଘର ଆସିଲେ ବିଧି ରକ୍ଷା ପାଇଁ ସୁନା କିଣିବାକୁ ପଡେ । କିନ୍ତୁ ଅଚାନକ ଏହି ଦର ବୃଦ୍ଧି ପକେଟକୁ ବାଧିବା ସହ ଆବଶ୍ୟକତା ପାଇଁ ବାଧ୍ୟ ହୋଇ ସୁନା କିଣିବାକୁ ପଡୁଛି । ସୁନାର ଦାମ ବେଶ କଷ୍ଟଦାୟକ ଓ ପକେଟକୁ ବାଧୁଛି ବୋଲି କହିଛନ୍ତି ଗ୍ରାହକ ।