ଭାରତୀୟ ଶୁଟରଙ୍କ ଦବଦବା ଜାରି । ଭାରତୀୟ ଶୁଟରମାନେ ଆଜି ପୁଣି ଦୁଇଟି ପଦକ ଜିତିଛନ୍ତି। ଶୁଟିଂର ପୁରୁଷ ଟ୍ରାପ୍ ଇଭେଣ୍ଟରେ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଜିତିଛି। କିନାନ ଚେନାଇ, ଜୋରାବର ସିଂହ ସାନ୍ଧୁ ଓ ପୃଥ୍ୱୀରାଜ ତୋଣ୍ଡାଇମାନଙ୍କୁ ନେଇ ଗଠିତ ଟିମ୍ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି। କୁଏତ ଓ ଚୀନକୁ ପଛରେ ପକାଇ ଭାରତୀୟ ଶୁଟରମାନେ ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଭାରତକୁ ୩୬୧ ପଏଣ୍ଟ ମିଳିଥିବା ବେଳା କୁଏତ ୩୫୨ ଓ ଚୀନ ୩୪୬ ପଏଣ୍ଟ ପାଇଥିଲେ।
ସୁଟିଂରେ ଭାରତକୁ ସପ୍ତମ ସ୍ୱର୍ଣ୍ଣ ମିଳିଛି । ଟ୍ରାପ୍-୫୦ ସଟ୍ସରେ ଭାରତ ସ୍ୱର୍ଣ୍ଣ ଜିତିଛି । ସେହିଭଳି ମହିଳା ଦଳରେ ରାଜେଶ୍ୱରୀ କୁମାରୀ, ମନୀଷା କିର ଓ ପ୍ରୀତି ରଜକ ଟ୍ରାପ୍ ସୁଟିଂରେ ରୌପ୍ୟ ଜିତିଛନ୍ତି । ଏଥିସହ ଭାରତର ମୋଟ ପଦକ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ଯେଉଁଥିରେ ୧୧ଟି ସ୍ୱର୍ଣ୍ଣ ପଦକ ରହିଛି ।
ଏହା ପୂର୍ବରୁ ଆଜି ମହିଳା ଶୁଟରମାନେ ରୌପ୍ୟ ପଦକ ଜିତିଥିଲେ। ମହିଳା ଟ୍ରାପ୍ ଇଭେଣ୍ଟରେ ଦଳକୁ ଏହି ସଫଳତା ମିଳିଥିଲା। ରାଜେଶ୍ୱରୀ କୁମାରୀ, ମନୀଷା କୀର ଓ ପ୍ରୀତି ରଜକ ୩୩୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ଓ ରୌପ୍ୟ ପଦକ ଜିତିଥିଲେ।
ଚଳିତ ଏସୀୟ କ୍ରୀଡ଼ାରେ ବର୍ତ୍ତମାନ ସୁଦ୍ଧା ଭାରତ ୪୧ଟି ପଦକ ଜିତିଥିବା ବେଳେ କେବଳ ଶୁଟିଂରୁ ଆସିଛି ୨୧ଟି ପଦକ। ଏହି ୨୧ଟି ପଦକ ମଧ୍ୟରେ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ରହିଛି। ଏସୀୟ କ୍ରୀଡ଼ାରେ ଇତିହାସରେ ଶୁଟିଂରେ ଏହା ଭାରତର ସର୍ବୋତ୍ତମ ପ୍ରଦର୍ଶନ।