ଉଭୟ ସିଏସକେ ଏବଂ ଧୋନୀଙ୍କ ଫ୍ୟାନ୍ସଙ୍କୁ ଲାଗିଛି ବଡ ଝଟକା । ଆଇପିଏଲର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସିଏସକେ ର ଅଧିନାୟକ ପଦରୁ ଦେଇଛନ୍ତି ଇସ୍ତଫା । ଆଇପିଏଲ ୨୦୨୪ ଆଉ ମାତ୍ର ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଯାଉଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ପଦରୁ ମହେନ୍ଦ୍ର ସିଂହ ଧୋନି ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ଯୁବ କ୍ରିକେଟରଙ୍କୁ ଅଧିନାୟକ ଭାର ଦେଇଛି ଚେନ୍ନାଇ ସୁପର କିଙ୍ଗସ୍ ମ୍ୟାନେଜମେଣ୍ଟ । ଧୋନିଙ୍କ ସ୍ଥାନରେ ଋତୁରାଜ ଗାୟକ୍ବାଡଙ୍କୁ ଅଧିନାୟକ ଘୋଷଣା କରିଛି ଚେନ୍ନାଇ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଚେନ୍ନାଇ ସୁପର୍ କିଙ୍ଗସ୍ । ସିଏସକେ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ, ‘ଋତୁରାଜ ଗାୟକ୍ବାଡଙ୍କୁ ଅଧିନାୟକ ଭାର ଅର୍ପଣ କରିଛନ୍ତି ମହେନ୍ଦ୍ର ସିଂହ ଧୋନି ।’ ଅର୍ଥାତ୍ ମାର୍ଚ୍ଚ ୨୨ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ୧୭ତମ ସିଜିନରେ ଅଧିନାୟକ ହେବେ ଋତୁରାଜ ଗାୟକ୍ବାଡ । ପୂର୍ବରୁ ମଧ୍ୟ ୨୦୨୨ ସିଜିନରେ ରବିନ୍ଦ୍ର ଜାଡେଜାଙ୍କୁ ଦଳ ଅଧିନାୟକ ଭାର ଦେଇଥିଲା । କିନ୍ତୁ ଧୋନି ଦଳର ଅଂଶ ଥିଲେ । ହେଲେ ସେହି ବର୍ଷା ଚେନ୍ନାଇ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ତେଣୁ ଅଧାରୁ ହିଁ ଜାଡେଜାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା । ଆଉ ପୁଣି ଚେନ୍ନାଇ ସୁପର୍ କିଙ୍ଗସର ଅଧିନାୟକ ହୋଇଥିଲେ ଧୋନି । ଆଉ ମାହିଙ୍କ ନେତୃତ୍ବରେ ୨୦୨୩ ଆଇପିଏଲ ଟାଇଟଲ୍ ଜିତିଥିଲା ଚେନ୍ନାଇ ସୁପର୍ କିଙ୍ଗସ୍ ।