ସାରା ରାଜ୍ୟରେ କାଳବୈଶାଖୀ ତାଣ୍ଡବ । ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ହେଉଛି । କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ମୂଷଳଧାରାରେ ବର୍ଷା ହୋଇଛି । ଆଜି ବି ବିଭିନ୍ନ ସ୍ଥାନରେ ବର୍ଷା ସହ ପବନ ହୋଇପାରେ । ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆହୁରି ଦୁଇଦିନ ଯାଏ କାଳବୈଶାଖୀ ପ୍ରଭାବ ରହିବ । ୨୫ ତାରିଖରେ ପାଗରେ ପରିବର୍ତ୍ତନ ଆସିବ । ପରେ ଧୀରେ ଧୀରେ ବଢିବ ତାପମାତ୍ରା । ୨୫ ତାରିଖ ପରେ ୨ରୁ ୫ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୪ ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୨୩.୪ ମିମି ବର୍ଷା ରେକର୍ଡ ହୋଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ବମକେଇ ପଞ୍ଚାୟତରେ କ୍ରିକେଟ୍ ଖେଳୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି । ସେହିଭଳି ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପରିବା କ୍ଷେତରେ ପାଣି ମଡ଼ାଇବା ସମୟରେ ଜଣେ ଚାଷୀ ବଜ୍ରାଘାତରେ ଟଳି ପଡ଼ିଛନ୍ତି । ଗଞ୍ଜାମ ଜିଲ୍ଲାରେ ଶନିବାର ମଧ୍ୟାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ଘନ ଘନ ବଜ୍ରପାତ ହୋଇଥିଲା । ନିର୍ଧୁମ ବର୍ଷାରେ ବ୍ରହ୍ମପୁର ସହରରେ ପାଣିର ସୁଅ ବନ୍ୟା ସ୍ଥିତି ସୃଷ୍ଟି କରିଥିଲା । ପ୍ରବଳ ବର୍ଷା ଯୋଗୁ ଜଳବନ୍ଦୀରେ ଫସି ଯାଇଥିବା ଜଣେ ଦୃଷ୍ଟିହୀନ ବୃଦ୍ଧାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ । ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଓପିଡିରେ ମଧ୍ୟ ବର୍ଷା ପାଣି ପଶି ଯାଇଥିଲା । ସହରର ଏକାଧିକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିଲା । ସେହିପରି ନବରଙ୍ଗପୁରରେ କୁଆପଥର ବର୍ଷା ଓ ବଜ୍ରପାତ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଝରିଗାଁ ସାପ୍ତାହିକ ହାଟରେ କୁଆପଥର ମାଡ଼ ଯୋଗୁ ଅନେକ ଲୋକ ଆହତ ହୋଇଛନ୍ତି । କୁଆପଥର ଏତେ ବଡ଼ ବଡ଼ ଥିଲା ଯେ ଏହାର ମାଡ଼ରେ ଅନେକ ଲୋକଙ୍କ ମୁଣ୍ଡ ଫାଟି ଯାଇଛି। କନ୍ଧମାଳ ଜିଲ୍ଲା ଜି ଉଦୟଗିରିର ବିଭିନ୍ନ ସ୍ଥାନରେ ବର୍ଷା ସହିତ କୁଆପଥର ମାଡ଼ ହୋଇଛି । ମୟୂରଭଞ୍ଜର ବାରିପଦାରେ ଅପରାହ୍ନରୁ ତୁହାକୁ ତୁହା ବର୍ଷା ଲାଗି ରହିଥିଲା । ନୟାଗଡ଼ରେ ବର୍ଷା ସାଙ୍ଗକୁ ବଜ୍ରପାତ ଓ କୁଆପଥର ମାଡ଼ ହୋଇଥିଲା । ଗତକାଲି ଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୨୩.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଯୋଡାରେ ୮୪.୫ ମିମି ଓ ସୁନ୍ଦରଗଡ଼ରେ ୭୦.୪ ମିମି ବର୍ଷା ରେକର୍ଡ ହୋଇଛି । ମୟୂରଭଞ୍ଜରେ କୁଆପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜିଲ୍ଲାର ୧୯ଟି ପଂଚାୟତର ୪୭ ଗାଁ ପ୍ରଭାବିତ ହୋଇଛି । ୩୬୦ରୁ ଅଧିକ ଘର ଭାଙ୍ଗିଛି। ଏକର ଏକର ଜମିର ଚାଷ ଉଜୁଡି ଯାଇଛି। ବିପର୍ଯ୍ୟୟ ଏତେ ଭୟଙ୍କର ଯେ ଲୋକେ କହୁଛନ୍ତି ଗତ କୋଡ଼ିଏ ତିରିଶି ବର୍ଷ ଭିତରେ କେବେ ଏଭଳି କୁଆପଥର ବର୍ଷା ଦେଖିନଥିଲେ । ଅନେକଙ୍କ ଚାଳ ଛପର ସହ ଟାଇଲ ଆଜବେଷ୍ଟସ ଘର ଛାତ ଉଡିଯାଇଛି ତ ଅନେକ କାର, ବସ୍ କାଚ ଭାଙ୍ଗି ଚୁରମାର୍ ହୋଇଛି । ରବିବାର କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୨୪ ତାରିଖରେ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି । ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଓ କୁଆପଥର ମାଡ଼ରେ ଚାଷ କ୍ଷତିଗ୍ରସ୍ତ ହେବା ସହ କଚ୍ଚା ଘର କାନ୍ଥ ଓ ଅନ୍ୟ ଦୁର୍ବଳ ଭିତ୍ତିଭୂମି ଭାଙ୍ଗି ଯିବାର ଆଶଙ୍କା ରହିଥିବାରୁ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ଗତ ୨୪ ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୨୩.୪ ମିମି ବର୍ଷା ରେକର୍ଡ ହୋଇଛି । କେନ୍ଦୁଝର ଯୋଡ଼ାରେ ୮୪.୫, ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ୭୦.୨, କେନ୍ଦୁଝର ସାରପଡ଼ାରେ ୬୧.୬, ଚମ୍ପୁଆରେ ୫୮.୨, ମୟୂରଭଞ୍ଜ କରଞ୍ଜିଆରେ ୫୭, ବାଲେଶ୍ୱର ସୋରରେ ୫୪, ସୁନ୍ଦରଗଡ଼ ଲାଠିକଟାରେ ୫୩, କେନ୍ଦୁଝର ଝୁମ୍ପୁରାରେ ୫୧.୬, ସୁନ୍ଦରଗଡ଼ କୁତ୍ରାରେ ୪୬ମିମି ବର୍ଷା ହୋଇଥିଲା । ଆଜି ସକାଳରୁ ସନ୍ଧ୍ୟା ଭିତରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ସର୍ବାଧିକ ୬୨.୨ ମିମି ବର୍ଷା ରେକର୍ଡ ହୋଇଛି । କଟକରେ ୨୧.୨, ଚାନ୍ଦବାଲିରେ ୧୬.୪ ଓ ବାଲେଶ୍ୱରରେ ୧୫ମିମି ବର୍ଷା ହୋଇଛି ।