ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଟାର୍ଗେଟ କଲେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ନୀତି ଆୟୋଗ ତଥ୍ୟ ଗ୍ରହଣର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ସାଂସଦ ଅମର ପଟ୍ଟନାୟକ। ଏସଡିଜି ଏକ ରାଜନୈତିକ ରିପୋର୍ଟ ନୁହେଁ । ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି କହିଛନ୍ତି ଅମର ପଟ୍ଟନାୟକ। ଡ. ପଟ୍ଟନାୟକ କହିଛନ୍ତି ଯେ କୋଭିଡ ଟିକା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ନଜର ହଟେଇବାକୁ ଅପଚେଷ୍ଟା କରିଥିଲେ ବି ଏଥିରେ ସେ ଗୁରୁତର ଭାବରେ ଅସଫଳ ହୋଇଛନ୍ତି । ଆଜି ଯେତେବେଳେ ଭାରତବର୍ଷର ଛାତ୍ରଛାତ୍ରୀମାନେ କୋଭାକ୍ସିନ ଟିକା ନେଲାପରେ ମଧ୍ୟ ଅନ୍ୟ ରାଷ୍ଟ୍ରମାନେ ଏହି ଟିକାକୁ ଅଗ୍ରାହ୍ୟ କରୁଛନ୍ତି ଓ ଭାରତୀୟ ଛାତ୍ରଛାତ୍ରୀଙ୍କର ବିଦେଶରେ ଥିବା ବିଶ୍ୱବିଦ୍ୟାଳୟମାନଙ୍କରେ ଯୋଗ ଦେବାରେ ଅସୁବିଧା ଉପୁଜୁଛି, ସେତେବେଳେ ଏହି ପ୍ରକାରର ପ୍ରସଙ୍ଗ ଏବଂ ଦ୍ରୁତ ଟୀକାକରଣ ଉପରେ ଜୋର ଦେବା ବଦଳରେ ଏକ ରିପୋର୍ଟକୁ ନେଇ ବିଜେପି ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ରିପୋର୍ଟ ଅନୁଯାଇ ଓଡିଶା ଦୁଇ ବର୍ଷ ମଧ୍ୟରେ ୨୨ତମ ସ୍ଥାନରୁ ଉତ୍ତୀର୍ଣ୍ଣ ହୋଇ ଭାରତବର୍ଷରେ ୧୯ତମ ସ୍ଥାନରେ ପହଞ୍ଚିଛି । ରିପୋର୍ଟରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ଆଖି ବୁଜି ଅଧିକ ନମ୍ବର ଦିଆଯାଇଥିବାବେଳେ, ଓଡ଼ିଶାର ମିଶନ ଶକ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ମମତା ଯୋଜନା ଭଳି ଅତି ସଫଳ ଓ ଜନପ୍ରିୟ ଯୋଜନାକୁ ମୂଲ୍ୟାୟନରେ ସମ୍ପୂର୍ଣ ଅଣଦେଖା କରାଯାଇଛି । ଶିଳ୍ପାୟନ କ୍ଷେତ୍ରରେ ଓଡିଶାକୁ ୨୦୧୯ରେ ୯୨ ପ୍ରତିଶତ ନମ୍ବର ଦିଆଯାଇଥିବାବେଳେ ଏ ବର୍ଷ ୦(ଶୂନ) ଦିଆହୋଇଛି । ୨୦୨୦ରେ ସମଗ୍ର ଦେଶରେ ଶିଳ୍ପାୟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗରେ ଓଡିଶା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲାବେଳେ ୨୦୨୦ରେ କାହିଁକି ୦(ଶୂନ) ମାର୍କ ଦିଆଗଲା ବୋଲି ଡ.ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଓଡ଼ିଶାରେ ବ୍ୟାଙ୍କ ସେବା ଏବେ ବି ଗ୍ରାମାଞ୍ଚଳରେ ପହଞ୍ଚିପାରିନାହିଁ । କିନ୍ତୁ ଏହି ରିପୋର୍ଟରେ ଓଡ଼ିଶାରେ ବ୍ୟାଙ୍କ ସେବାକୁ ୯୯ ପ୍ରତିଶତ ନମ୍ବର ଦିଆଯାଇଛି । ଏହି ପ୍ରସଙ୍ଗରେ ବି ବିଜେପି ନେତ୍ରୀ ଆଜି ତାଙ୍କର ସାମ୍ବାଦିକ ସମ୍ବିଳନୀରେ ମୁହଁ ଖୋଲିନାହାନ୍ତି । ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିଲାବେଳେ ଏହି ରିପୋର୍ଟରେ ତାହାର ଉଲ୍ଲେଖ ନାହିଁ । ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାର ୬ଟି ଜିଲ୍ଲାରେ ରେଳ ସେବା ପହଞ୍ଚି ପାରିନାହିଁ । ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ରିପୋର୍ଟରେ ସ୍ଥାନ ଦିଆଯାଇନାହିଁ । ଓଡ଼ିଶାରେ ମୋବାଇଲ ଓ ଇଣ୍ଟରନେଟ୍ ସେବା ଦୁର୍ଗମ ଅଞ୍ଚଳମାନଙ୍କରେ ଏବେ ବି ଅପହଞ୍ଚ । କିନ୍ତୁ ଏହି ରିପୋର୍ଟରେ ୨୦୧୯ରେ ଇଣ୍ଟରନେଟ୍ ସଂଯୋଗକୁ ୧୨୩ ପ୍ରତିଶତ ନମ୍ବର ଦିଆଯାଇ ଥିବାବେଳେ ୨୦୨୦ରେ ଅତି ଆକସ୍ମିକ ଭାବରେ ୪୪ ପ୍ରତିଶତକୁ ଖସାଇ ଦିଆଯାଇଛି । ଏହି ପ୍ରକାର ଭାବରେ ଏସ୍ଡିଜି ରିପୋର୍ଟକୁ ନେଇ ଆଜି ଶ୍ରୀମତୀ ଷଡ଼ଙ୍ଗୀ ଯାହାସବୁ ଦର୍ଶାଇଛନ୍ତି ତାହା ‘ସବୁ ଡାହା ଗପ’ ଗପିଛନ୍ତି ବୋଲି ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା କହିଛନ୍ତି ।
2