ବାଲେଶ୍ବର,(ଏନଏନଏସ ଓଡ଼ିଆ /୧୦.୦୩): ନୀଳଗିରି ‘ସମ୍ବାଦ’ ପ୍ରତିନିଧି ଲୋକନାଥ ଦଳେଇଙ୍କୁ ପୁଲିସ ଗିରଫ କରିବା ଓ ଗୋଡ଼ରେ ବେଡ଼ି ପକାଇ ଡାକ୍ତରଖାନାରେ ଚିକିତ୍ସା କରିବା ଘଟଣାରେ ମାନବ ଅଧିକାର କର୍ମୀ ହିମାଂଶୁ ଶେଖର ନାୟକଙ୍କ ଅଭିଯୋଗ ଆଧାରରେ ଜାତୀୟ ମାନବ ଅଧିକାର କମିସନ୍ (ଏନ୍ଏଚ୍ଆର୍ସି) ସାମ୍ବାଦିକ ଶ୍ରୀ ଦଳେଇଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ରାଶି ଦେବାକୁ ମୁଖ୍ୟ ଶାସନସଚିବଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କମିସନ୍ ବାଲେଶ୍ବର ଏସ୍ପି ଓ ଜିଲ୍ଲାପାଳଙ୍କ ରିପୋର୍ଟ ଅନୁଧ୍ୟାନ କରିବା ପରେ ଶ୍ରୀ ଦଳେଇଙ୍କ ମାନବିକ ଅଧିକାର ଉଲ୍ଲଂଘନ ହୋଇଥିବା ଦର୍ଶାଇ ଆସନ୍ତା ୪ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରି ତାର ପ୍ରମାଣ ସହିତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉକି, ଏନ୍ଏଚ୍ଆର୍ସି ଏହି ଅଭିଯୋଗକୁ ଗୁରୁତ୍ବ ଦେଇ ସାମ୍ବାଦିକ ଶ୍ରୀ ଦଳେଇଙ୍କୁ କାହିଁକି କ୍ଷତିପୂରଣ ଦିଆଯିବନାହିଁ ବୋଲି ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ତେବେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ କିଛି ଉତ୍ତର ନ ରଖିବାରୁ ଏନ୍ଏଚ୍ଆର୍ସି ଚଳିତ ମାସ ୭ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଦେଶ ପାଳନ ନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍ଏଚ୍ଆର୍ସି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୨୨ ମସିହାରେ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ନୀଳଗିରିର ତତ୍କାଳୀନ ଆଇଆଇସି ଦ୍ରୌପଦୀ ଦାସ ଓ ଏସ୍ଆଇ ସୁବର୍ଣ୍ଣା ବେହେରା ଥାନାରେ ମାଡ଼ ମାରିବାରୁ ଲୋକନାଥ ବେହୋସ ହୋଇ ଯାଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଖାନାରେ ଚିକିତ୍ସାଧୀନ ସମୟରେ ବି ଶ୍ରୀ ଦଳେଇଙ୍କ ଗୋଡ଼ରେ ବେଡ଼ି ପକାଇଥିଲା ପୁଲିସ। ଯାହାକୁ ନେଇ ରାଜ୍ୟବ୍ୟାପୀ ସବୁ ମହଲରୁ ନିନ୍ଦା କରାଯିବା ସହିତ ମାନବିକ ଅଧିକାରୀ ଉଲ୍ଲଙ୍ଘନ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।