ରାଣୀ ବେଶରେ ସଜେଇ ହୋଇଥିଲେ ଓଲିଉଡର ଚୁଲବୁଲି ନାୟିକା ଅର୍ଚିତା । ତାଙ୍କ ପାଇଁ ରାଜା ହୋଇଥିଲେ ସବ୍ୟସାଚୀ । ଆଉ ପରସ୍ପରକୁ କହିଦେଉଥିଲେ ତୋର ମୋର ଯୋଡି ସୁନ୍ଦର । ରୂପେଲି ପରଦାର ଏହି ଲୋକପ୍ରିୟ ଯୋଡି ସବ୍ୟ ଓ ଅର୍ଚିତା ଗତକାଲି ବିବାହ ବେଦିରେ ଅଗ୍ନିକୁ ସାକ୍ଷୀ ରଖି ସବୁଦିନ ପାଇଁ ‘ମୁଁ ଏକା ତୁମର’ର ବଚନରେ ଆବଦ୍ଧ ହୋଇଥିଲେ । ଆଉ ସବ୍ୟ ଓ ଅର୍ଚିତାରୁ ସବ୍ୟାର୍ଚ୍ଚିତାରେ ପରିଣତ ହୋଇଯାଇଛନ୍ତି । ଗତକାଲି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ରିସୋର୍ଟରେ ରାଜକୀୟ ଶୈଳୀରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି ।ବିବାହ ବେଳେ ପରିବାର ବର୍ଗ ଓ କିଛି ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ । ବଧୂ ବେଶରେ ଅର୍ଚିତା ଏକ ଲାଲ ରଙ୍ଗର ଲେହେଙ୍ଗାରେ କୌଣସି ରାଣୀଙ୍କ ଠାରୁ କମ୍ ଲାଗୁନଥିଲେ । ତାଙ୍କ ସହ ତାଳ ଦେଇ ସବ୍ୟସାଚୀ ଧଳା ରଙ୍ଗର ସେରୱାନୀ ସହ ଗୋଲାପୀ ରଙ୍ଗର ପଗଡିରେ ମହାରାଜା ଅନ୍ଦାଜରେ ନଜରରେ ଆସିଥିଲେ । ଉଭୟଙ୍କର ବରକନ୍ୟା ବେଶ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହୋଇଥିଲା । ପ୍ରଂଶସକମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଛି । ବିବାହ ପୂର୍ବରୁ ଅର୍ଚିତା ଓ ସବ୍ୟସାଚୀଙ୍କ ହଳଦୀ ଉତ୍ସବର ଫଟୋ ମଧ୍ୟ ସାମାଜିକ ଗଣାମାଧ୍ୟମରେ ଟ୍ରେଣ୍ଡ କରିଥିଲା । ସୂଚନାଯୋଗ୍ୟ, ଗତକାଲି ହଠାତ୍ ଗଣମାଧ୍ୟମରେ ଏହି ଯୋଡି ନିଜ ବିବାହ ସମ୍ପର୍କରେ ଘୋଷଣା କରି ପ୍ରଶଂସକ ମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା ।