ଆଜି ସାତଜନମର ସାଥୀ ହେବେ ସବ୍ୟାର୍ଚ୍ଚିତା । ଆଜି ଓଲିଉଡର ସୁପରହିଟ ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ବିବାହ ହେବାକୁ ଯାଉଛି । ରିଲ ଲାଇଫରୁ ରିଏଲ ଲାଇଫର ଯୋଡି ବନିବେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ । ଉଭୟ ସବ୍ୟସାଚୀ ଏବଂ ଅର୍ଚ୍ଚିତା ତାଙ୍କ ସୋସିଆଲ ମିଡିଆ ପେଜ୍ରେ କିଛି ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି । ସବ୍ୟସାଚୀ ଲେଖିଛନ୍ତି, ‘ଆଜିଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର ।’ ଅନୁରୂପ ଅର୍ଚ୍ଚିତା ମଧ୍ୟ ଲେଖିଛନ୍ତି, ‘ଆଜିଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର ।’ ଏହି ଫଟୋରେ ଅଭିନେତା ସବ୍ୟସାଚୀଙ୍କୁ ବର ବେଶରେ ଏବଂ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବଧୂ ବେଶରେ ଦେଖିବାକୁ ମିଳିଛି । ଅନେକ ଦିନ ଧରି ସବ୍ୟ-ଅର୍ଚ୍ଚିତାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଚାଲିଥିଲା । ଦୁହିଁଙ୍କ ଭିତରେ ବନ୍ଧୁତା ଏବଂ ପରେ ପ୍ରେମ ଆଉ ବିବାହ ବନ୍ଧନରେ ଉଭୟ ଆବଦ୍ଧ ହୋଇଛନ୍ତି । ବିବାହ ପରେ ଉଭୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମଧ୍ୟ ମିଳୁଛି । ଏନେଇ ସବ୍ୟସାଚୀ ପୋଷ୍ଟ କରିଥିବା ବେଳେ ଭଗବାନଙ୍କ ସହ ଲୋକଙ୍କ ଆଶିର୍ବାଦ ଲୋଡିଛନ୍ତି । ଜୀବନ ସାଥୀ ବନିବାକୁ ଯାଉଥିବା ପରଦାର ଯୋଡ଼ି ବିବାହ ପୂର୍ବରୁ ନିଜ ନିର୍ବନ୍ଧର ଫଟୋ ଛାଡିଛନ୍ତି । ତେବେ ଲକଡାଉନ ସମୟରେ ସବ୍ୟସାଚୀଙ୍କୁ ରିଲ ହିରୋରୁ ରିଏଲ ହିରୋ ହେବାର ଦେଖିଛି ଓଡିଶା । କରୋନା କାଳରେ ଯେତେବେଳେ ସାରା ଦେଶରେ ତାଲା ପଡିଥିଲା ସେତେବେଳେ ଲୋକଙ୍କୁ ସାହାଯ୍ୟ କରି ହୃଦୟର ହିରୋ ବନିଥିଲେ ସବ୍ୟ । ତେଣୁ ଅଭିନୟ ସହ ସାମାଜିକ କାମରେ ନିଜକୁ ନିୟୋଜିତ କରି ଲୋକଙ୍କ ହୃଦୟ ଜିଣିଥିବା ସବ୍ୟସାଚୀଙ୍କର ଶେଷରେ ହାତଗଣ୍ଠି ପଡିବାକୁ ଯାଉଛି । କରୋନା ସମୟରେ ସବ୍ୟଙ୍କ ଅବଦାନକୁ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ମଧ୍ୟ ବେଶ୍ ପ୍ରଶଂସା ମିଳିଛି । ଏବେ ଏହି ଯୋଡ଼ି ରାଜସ୍ଥାନରୁ ଫେରିବା ପରେ ଏଠାରେ ଅତିଥିମାନଙ୍କୁ ନେଇ ଭୋଜିର ଆୟୋଜନ କରାଯିବ ବୋଲି ସେମାନଙ୍କ ପରିବାର ପକ୍ଷରୁ କୁହାଯାଇଛି ।