ଭୁବନେଶ୍ବରରେ ବୃଦ୍ଧି ପାଇଥିବା ସାଇବର ଅପରାଧକୁ ଇତିମଧ୍ୟରେ ଦୁଇ ମାସ ପୂରିଛି। କେବଳ ଫେବ୍ରୁଆରି ମାସରେ ସାଇବର ଠକ କେବଳ ଭୁବନେଶ୍ବରରୁ ୫୧ ଲକ୍ଷ ୩୯ ହଜାର ୯୮୯ ଟଙ୍କା ଲୁଟିଥିବା ବେଳେ ବିଗତ ଦୁଇମାସରେ ଲୁଟ୍ର ପରିମାଣ ୧ କୋଟି ୩ ଲକ୍ଷ ୫୬ ହଜାର ୪୭୨ ଟଙ୍କାକୁ ଛୁଇଁଛି। ତେବେ ସାଇବର ସେଲ୍ର ତତ୍ପରତା ଯୋଗୁଁ ଫେବ୍ରୁଆରିରେ ଲୋକେ ୬ ଲକ୍ଷ ୮୫ ହଜାର ୮୪୭ଟଙ୍କା ଫେରି ପାଇଛନ୍ତି। କିନ୍ତୁ ସାଇବର ଲୁଟେରାଙ୍କ ନୂଆ ନୂଆ କୌଶଳକୁ ନେଇ ପୁଲିସର ଚିନ୍ତା ବଢ଼ିବାରେ ଲାଗିଛି। କେବଳ ସଚେତନତା ଯୋଗୁ ଅଭିଯୋଗ ସଂଖ୍ୟା କମିଛି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ। ସାଇବର ସେଲ୍ ଖୋଲିବାର ପ୍ରଥମ ମାସରେ ମୋଟ ୧୨୦୭ଟି ଅଭିଯୋଗ ଆସିଥିଲା। ସେଥିରୁ ଭୁବନେଶ୍ବରରୁ ୩୬୮ଟି କଲ୍ ଆସିଥିଲା। ଫେବ୍ରୁଆରିରେ ସମୁଦାୟ ୭୮୪ଟି କଲ୍ ଆସିଥିବାବେଳେ ଏଥିରେ ଭୁବନେଶ୍ବରରୁ ୩୨୨ଟି ଏବଂ ଭୁବନେଶ୍ବର ବାହାରୁ ୪୬୨ଟି କଲ୍ ଆସିଛି। ପ୍ରଥମ ମାସରେ ଭୁବନେଶ୍ବର ଓ ଭୁବନେଶ୍ବର ବାହାରୁ ମୋଟ କୋଟିଏ ୪୦ ଲକ୍ଷ ୫୪ ହଜାର ୯୪୪ ଟଙ୍କା ସାଇବର ଠକ ନେଇ ଯାଇଥିବା ବେଳେ ଫେବ୍ରୁଆରିରେ କୋଟିଏ ୨୧ ଲକ୍ଷ ୧୩ ହଜାର ୫୪୩ ଟଙ୍କା ଠକେଇ ହୋଇଛି। ଫେବ୍ରୁଆରିରେ ଅଭିଯୋଗ ସଂଖ୍ୟା କମିଥିଲେ ମଧ୍ୟ ଠକେଇ ପରିମାଣ ଆଖିଦୃଶିଆ କମି ନାହିଁ। ଏଣୁ ଲୋକମାନେ ଆହୁରି ସଚେତନ ହେବା ଜରୁରି ବୋଲି ପରାମର୍ଶ ଦେଇଛନ୍ତି ଡିସିପି ଶ୍ରୀ ଦାଶ।