କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ 19ବର୍ଷ ପୁରିଲା । ପୂର୍ବ ପରି ବିସ୍ଥାପନ ବିରୋଧି ଜନମଞ୍ଚ ଏବର୍ଷ ପାଳିଛି ସହୀଦ୍ ସ୍ମୃତି ସମାବେଶ । ବିରୋଧୀ ଜନମଞ୍ଚ ସହିତ ଏଥିରେ ସାମିଲ ହୋଇଛି ବିସ୍ଥାପିତ ଉନ୍ନୟନ ପରିଷଦ । 2006 ଜାନୁଆରୀ 2ତାରିଖ ଘଟିଥିଲା କଳିଙ୍ଗନଗର ଗୁଳିକାଣ୍ଡ । ଯେଉଁଥିରେ ପୋଲିସ୍ ଗୁଳିରେ ନିହତ ହୋଇଥିଲେ 14ଜଣ ଆଦିବାସୀ । ସେହିପରି ଆଦିବାସୀଙ୍କ ଆକ୍ରମଣରେ ଜଣେ ପୋଲିସ୍ ହାବିଲଦାରଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଇତି ମଧ୍ୟରେ ବିତିଛି 19ବର୍ଷ । ହେଲେ ଲୋକଙ୍କ ମନରୁ ଲିଭିନାହିଁ ସେହି କଳା ଦିନର ସ୍ମୃତି । ସେଦିନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଜନମଞ୍ଚ ପାଳିଆସୁଛି ସହିଦ୍ ସ୍ମୃତି ଦିବସ । ବିସ୍ଥାପନ ବିରୋଧି ଜନମଞ୍ଚ ଓ ବିସ୍ଥାପିତ ଉନ୍ନୟନ ପରିଷଦ ମିଳିତ ଭାବେ ପାଳିଛନ୍ତି ଏହି ଦିବସ । ପ୍ରଥମେ ଗୁଳିକାଣ୍ଡ ସ୍ଥଳୀ ଚମ୍ପାକୋଇଲର ସ୍ମୃତିସ୍ତମ୍ଭ ପାଖରେ ଦିରିଦୁଲୁସୁନମ୍ ପୂଜା କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ସହସ୍ରାଧିକ ଆଦିବାସୀ ପୁରୁଷ ଓ ମହିଳା କମ୍ପାନୀ ଏବଂ ପୂର୍ବ ସରକାର ବିରୋଧି ନାରାଦେଇ ଶବଦାହ ସ୍ଥଳୀ ବୀରଭୂମିକୁ ଶୋଭାଯାତ୍ରାରେ ଯାଇଥିଲେ । ଲୋକଙ୍କୁ ବଳପୂର୍ବକ ବିସ୍ଥାପିତ କରି କମ୍ପାନୀ ପ୍ରତିଶୃତି ରଖୁନଥିବାରୁ ଆଗାମୀ ଦିନରେ ଲଢେଇ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଉଭୟ ବିରୋଧି ଓ ସପକ୍ଷବାଦୀ ଆଦିବାସୀ l ଶୋଭାଯାତ୍ରା କଳିଙ୍ଗନଗର ଶିଳ୍ପାଞ୍ଚଳ ପରିକ୍ରମା କରି ଗଣଶବଦାହ ସ୍ଥଳୀ ବୀରଭୂମି ପଡିଆରେ ପହଞ୍ଚିଥିଲା । ସେଠାରେ ଥିବା ଗଣସମାଧିସ୍ଥଳରେ ପ୍ରତ୍ୟେକ ସହିଦଙ୍କୁ ଲାଲ୍ ସଲାମ୍ ଜଣାଇଥିଲେ ବସ୍ଥାପନ ବିରୋଧି ଏବଂ ସପକ୍ଷବାଦୀ । ଆଦିବାସୀ ନେତାମାନେ ଲାଲ ପତାକା ଉତ୍ତୋଳନ କରିବା ପରେ ସେଠାରେ ଏକ ସ୍ମୃତି ସମାବେଶର ଆୟୋଜନ କରାଯାଇଥିଲା । ଯେଉଁଥିରେ ଦୀର୍ଘ 19ବର୍ଷ ତଳର ସେହି ସଂଘର୍ଷମୟ ଗାଥାକୁ ଅବତାରଣ କରାଯାଇଥିଲା । ଏଥିସହ ନ୍ୟାୟିକ ତଦନ୍ତ ରିପୋର୍ଟରେ ନିଜର ଅସନ୍ତୁଷ୍ଟି ବ୍ୟକ୍ତ ମଧ୍ୟ କରିଥିଲେ । ଏହି ନେତାମାନେ ଆଗକୁ ମଧ୍ୟ ସଂଘର୍ଷ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି । ସେପଟେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । SDPO ଙ୍କ ସମେତ 5ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲେ